ନ୍ୟୁଜକ୍ଲିକ୍ ମାମଲାରେ ଆମେରିକୀୟ ବ୍ୟବସାୟୀ ନେଭିଲ୍ ରୟ ସିଂଘମଙ୍କୁ ସମନ କଲା ଇଡି | News Room Odisha

ନ୍ୟୁଜକ୍ଲିକ୍ ମାମଲାରେ ଆମେରିକୀୟ ବ୍ୟବସାୟୀ ନେଭିଲ୍ ରୟ ସିଂଘମଙ୍କୁ ସମନ କଲା ଇଡି

ନୂଆଦିଲ୍ଲୀ: ନ୍ୟୁଜ୍ ପୋର୍ଟାଲ୍ ନ୍ୟୁଜକ୍ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆମେରିକୀୟ କୋଟିପତି ବ୍ୟବସାୟୀ ନେଭିଲ୍ ରୟ ସିଂଘମଙ୍କୁ ସମନ ଜାରି କରିଛି । ଏହି ମାମଲାରେ ପଚରାଉଚରା ପାଇଁ ହାଜର ହେବାକୁ ନେଭିଲ୍ ରୟଙ୍କୁ କହିଛି ଇଡି।

ଚୀନ୍ ସହ ଜଡ଼ିତ କମ୍ପାନୀଗୁଡିକୁ ଫଣ୍ଡିଂ ମାମଲାରେ ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ନେଭିଲ୍ ରୟ ସିଙ୍ଘମଙ୍କ ନାଁ ଉଠିଥିଲା । ଚୀନ୍ ଏଜେଣ୍ଡା ପ୍ରଚାର କରିବାକୁ ନ୍ୟୁଜକ୍ଲିକକୁ ନେଭିଲ୍ ରୟ ସିଙ୍ଘମ୍ ଫଣ୍ଡିଂ କରୁଥିଲେ ବୋଲି ଅଭିଯୋଗ ହୋଇଛି ।

ଇଡି ଏହି ମାମଲାରେ ନ୍ୟୁଜକ୍ଲିକ୍ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା । ତଦନ୍ତରୁ ଜଣାପଡ଼ିଛି ଯେ ନ୍ୟୁଜ୍ କ୍ଲିକରେ ୮୬ କୋଟି ଟଙ୍କା ବିଦେଶୀ ପାଣ୍ଠି ନିବେଶ ହୋଇଛି। ଏଥିରେ ମନି ଲଣ୍ଡରିଂ ମାମଲା ସାମ୍ନାକୁ ଆସିଛି।

ନେଭିଲ୍ ରୟ ସିଙ୍ଘମ୍ କିଏ ?

ନେଭିଲ୍ ରୟ ସିଙ୍ଘମ୍ ଜଣେ ଆମେରିକୀୟ ବ୍ୟବସାୟୀ ତଥା ସାମାଜିକ କର୍ମୀ | ତାଙ୍କ ପିତା ଆର୍ଚିବାଲ୍ଡ ସିଙ୍ଘମ୍ ଜଣେ ବାମପନ୍ଥୀ ଶିକ୍ଷାବିତ୍ ଥିଲେ। ଆର୍ଚିବାଲ୍ଡ ବର୍ମାରେ ଜନ୍ମଗ୍ରହଣ କରିଥିଲେ | ସେ ନ୍ୟୁୟର୍କର ସିଟି ୟୁନିଭରସିଟି ବ୍ରୁକଲିନ୍ କଲେଜରେ ରାଜନୀତି ବିଜ୍ଞାନର ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ୧୯୯୧ରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପୁଅ ନେଭିଲ୍ ହେଉଛନ୍ତି ଆଇଟି କନସଲ୍ଟିଂ କମ୍ପାନୀ ‘ଥଟ୍ ୱର୍କ୍ସ’ ର ପ୍ରତିଷ୍ଠାତା ତଥା ପୂର୍ବତନ ଚେୟାରମ୍ୟାନ୍ | ଚୀନୀ ଗଣମାଧ୍ୟମର ପ୍ରୋପାଗଣ୍ଡା ପ୍ରଚାର କରୁଥିବା ବିଭିନ୍ନ ସଂସ୍ଥାକୁ ନେଭିଲ୍ ଫଣ୍ଡିଂ କରୁଥିବା ଅଭିଯୋଗ ହୋଇଛି। ନେଭିଲ୍ ରୟ ସିଙ୍ଘମଙ୍କ ଜନ୍ମ ୧୯୫୪ରେ ଆମେରିକାରେ ହୋଇଥିଲା। ନେଭିଲ୍ ରୟ ସିଙ୍ଗହମ୍ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରୁ ଡିଗ୍ରୀ ହାସଲ କରିଥିଲେ । ୧୯୯୩ରେ ସେ ‘ଥଟ୍ ୱର୍କ୍ସ’ର ପ୍ରତିଷ୍ଠା କରିବା ପୂର୍ବରୁ ଅନେକ ବର୍ଷ ଧରି ସଫ୍ଟୱେୟାର୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥିଲେ |