ରାଞ୍ଚି: ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ଜାରି କରିଛି । ଇଡି ତାଙ୍କୁ ଆସନ୍ତାକାଲି (ନଭେମ୍ବର ୩)ରେ ରାଞ୍ଚି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କହିଛି । ସୂଚନା ମୁତାବକ, ଇଡି କାର୍ଯ୍ୟାଳୟର ସୁରକ୍ଷା ବଢ଼ାଇବାକୁ ପୋଲିସ ମୁଖ୍ୟାଳୟରୁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ପାଇଁ ଦାବି କରାଯାଇଛି। ଏନେଇ ଇଡି ପୋଲିସ ମୁଖ୍ୟାଳୟକୁ ଏକ ଚିଠି ପଠାଇଛି। ଚିଠିର ଏକ ନକଲ ମଧ୍ୟ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସକୁ ଦିଆଯାଇଛି।
ଇଡି ଦ୍ୱାରା ପଠାଯାଇଥିବା ସମନ ଉପରେ ଜେଏମଏମର ମନୋଜ ପାଣ୍ଡେ କହିଛନ୍ତି ଯେ ଇଡି ଏହାର କାମ କରୁଛି। ଯଦି ଅନ୍ୟାୟ କରାଯାଏ, ଆମେ କୋର୍ଟଙ୍କ ଦ୍ବାରସ୍ଥ ହେବୁ | ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ସମନ କରିପାରିବ କି ନାହିଁ ଜାଣିନି? ଯଦି ଏପରି ହୁଏ, ତେବେ ମୁଖ୍ୟମନ୍ତ୍ରୀ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାର ଜବାବ ଦେବେ। ଏହା ଏକ ଆକ୍ରୋଶମୂଳକ ରାଜନୀତି ବୋଲି ସେ କହିଛନ୍ତି |
ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ସମନ ଜାରି କରିବାର ମୁଖ୍ୟ କାରଣ ହେଉଛି ଅବୈଧ ଖଣି ଖନନ ଏବଂ ଅନ୍ୟାନ୍ୟ ମାମଲାରେ ତାଙ୍କର ବିଶେଷ ପ୍ରତିନିଧୀ ପଙ୍କଜ ମିଶ୍ରଙ୍କ ସମ୍ପୃକ୍ତି । ଏହାଛଡ଼ା ଆୟବର୍ହିଭୂତ ସମ୍ପତ୍ତି ଜମା କରିବା, ମନି ଲଣ୍ଡରିଂ ଅଭିଯୋଗରେ ଆଇଏସ୍ ଅଧିକାରୀ ପୂଜା ସିଙ୍ଘଲଙ୍କୁ ଖଣି ବିଭାଗରେ ଅବସ୍ଥାପିତ କରିବା, ଘରୁ ଦୁଇଟି ଏକେ-୪୭ ଏବଂ ୬୦ ବୁଲେଟ୍ ଜବତ ହେବା ମାମଲା ବି ରହିଛି ।