ମଦ ଦୁର୍ନୀତି ମାମଲା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତାଙ୍କୁ ପୁଣି ଇଡି ସମନ | News Room Odisha

ମଦ ଦୁର୍ନୀତି ମାମଲା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତାଙ୍କୁ ପୁଣି ଇଡି ସମନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କୁ ପୁଣି ଜେରା କରିବ ଇଡି । ଏଥିପାଇଁ ତାଙ୍କୁ ଆସନ୍ତାକାଲି (ମାର୍ଚ୍ଚ ୯) ହାଜର ହେବାକୁ ସମନ ଜାରି କରିଛି କେନ୍ଦ୍ରୀୟ ସଂସ୍ଥା । ଏହି ମାମଲାରେ କବିତାଙ୍କୁ ପୂର୍ବରୁ ଡିସେମ୍ବର ୧୨ରେ ହାଇଦ୍ରାବାଦରେ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା । ଅନ୍ୟପକ୍ଷରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କବିତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରାଣ୍ଟଲାଙ୍କୁ ସୋମବାର ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରୁ ଜାମିନ ମିଳିଛି ।

ଏହି ମାମଲାରେ ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କୁ ମଧ୍ୟ ଗତକାଲି ଗିରଫ କରିଥିଲା ଇଡି । ପିଲ୍ଲାଇଙ୍କ ସହ ମୁହାଁମୁହିଁ ଜେରା କରିବାକୁ କବିତାଙ୍କୁ ସମନ କରିଛି ଇଡି ।

ଅବକାରୀ ନୀତି ଅନିୟମିତତାର ଯାଞ୍ଚ ପାଇଁ ଗତ ବର୍ଷ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସାକ୍ସେନା ସିବିଆଇ ନିର୍ଦ୍ଦେଶ ଦେବା ପରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଏହି ନୀତି ପ୍ରତ୍ୟାହାର କରିନେଇଥିଲେ। ଇଡି ଅଭିଯୋଗ ଅନୁଯାୟୀ ଏହି ମାମଲାରେ ‘ସାଉଥ୍ ଗ୍ରୁପ୍’ରେ ଶରଦ ରେଡ୍ଡୀ (ଅରୋବିନ୍ଦ ଫାର୍ମା ପ୍ରମୋଟର), ମାଗୁନ୍ଥା ଶ୍ରୀନିବାସୁଲୁ ରେଡ୍ଡି (ଅଙ୍ଗୋଲ ଲୋକସଭା ଆସନରୁ ଓ୍ବାଇଏସ୍ଆର କଂଗ୍ରେସ ସାଂସଦ), କବିତା ଏବଂ ଅନ୍ୟମାନେ ସମ୍ପୃକ୍ତ ଅଛନ୍ତି।