ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୮ ମୃତ | News Room Odisha

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୮ ମୃତ

ଚେନ୍ନାଇ: ତାମିଲନାଡୁର କୃଷ୍ଣଗିରିସ୍ଥିତ ଏକ ବାଣ ଫ୍ୟାକ୍ଟ୍ରିରେ ଶନିବାର ବିସ୍ଫୋରଣ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିକଟସ୍ଥ ହୋଟେଲ କୋଠା ମଧ୍ୟ ଭୁଶୁଡି ପଡିଥିଲା । ଏହାଛଡ଼ା ଅନ୍ୟ ଚାରିଟି କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।

ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ନିଆଁ ଲିଭାଇବା ସହ ନିକଟସ୍ଥ କ୍ଷତିଗ୍ରସ୍ତ କୋଠା ଗୁଡ଼ିକରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ଲୋକଙ୍କୁ ଡାକ୍ତରଖାନା ନିଆଯାଇଛି।

ଜିଲ୍ଲା କଲେକ୍ଟର କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ଏକ ହୋଟେଲ କୋଠା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ଏବଂ ଆଖପାଖରେ ଥିବା ତିନି ଚାରିଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କର୍ମଚାରୀମାନେ ଏପର୍ଯ୍ୟନ୍ତ ଧ୍ବଂସାବଶେଷରେ ଫସି ରହିଥିବା ଲୋକଙ୍କ ସଂଖ୍ୟା ଜାଣିପାରି ନାହାଁନ୍ତି। ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇ ନାହିଁ।