କୁନୋରେ ପୁଣି ଏକ ଚିତାର ମୃତ୍ୟୁ, ଚାରି ମାସରେ ଅଷ୍ଟମ | News Room Odisha

କୁନୋରେ ପୁଣି ଏକ ଚିତାର ମୃତ୍ୟୁ, ଚାରି ମାସରେ ଅଷ୍ଟମ

ଭୋପାଳ: କୁନୋ ଜାତୀୟ ଉଦ୍ୟାନରେ ଥମୁନି ଚିତା ମଡ଼କ। ଶୁକ୍ରବାର ଏଠାରେ ଆଉ ଏକ ଚିତାର ମୃତଦେହ ମିଳିଛି। ଏହାକୁ ମିଶାଇ କୁନୋରେ ଏଯାବତ୍ ଚାରି ମାସରେ ୮ ଚିତା ମଲେଣି । ଫଳରେ ‘ପ୍ରୋଜେକ୍ଟ ଚିତା’କୁ ଲାଗିଛି ବଡ଼ ଝଟକା। ନାମିବ୍ୟାରୁ ଅଣାଯାଇଥିବା ୮ଟି ଚିତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୨୦୨୨ରେ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ।

ଶୁକ୍ରବାର କୁନୋରେ ସୁରଜ ନାମକ ଏକ ଅଣ୍ଡିରା ଚିତାର ମୃତଦେହ ମିଳିଛି। ତାକୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା। ସକାଳେ ଏକ ପାଟ୍ରୋଲିଂ ପାର୍ଟିକୁ ଏହାର ମୃତଦେହ ମିଳିଥିଲା ।

ତିନି ଦିନ ତଳେ ତେଜସ୍ ନାମକ ଏକ ଚିତାର ରହସ୍ୟ ଜନକ ଭାବେ ମୃତ୍ୟୁ ହୋଇଥିଲା । ତେଜସର ପୋଷ୍ଟ ମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ। ତେଜସ୍ ମଧ୍ୟ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା।

ସୂଚନାଯୋଗ୍ୟ, ନାମିବ୍ୟାରୁ ୮ଟି ଏବଂ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ୧୨ଟି ଚିତାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିଲା । ଏଥିମଧ୍ୟରୁ ଏକ ମାଈ ଚିତା ତିନି ଛୁଆ ଜନ୍ମ କରିଥିଲା | ତେବେ ସମସ୍ତ ଛୁଆଙ୍କ ମୃତ୍ୟୁ ହୋଇଥିଲା । ଏହାଛଡ଼ା ପାଞ୍ଚଟି ବଡ ଚିତାର ମୃତ୍ୟୁ ହୋଇଥିଲା । କୁନୋ ଜାତୀୟ ଉଦ୍ୟାନରେ ଏବେ ୧୫ଟି ଚିତା ଅଛନ୍ତି | ଏଭଳି ସ୍ଥିତିରେ ଚିତା ପ୍ରୋଜେକ୍ଟ ସହ ଜଡିତ ଲୋକଙ୍କ ଚିନ୍ତା ବଢିଛି। ସୁରଜର ପୋଷ୍ଟମର୍ଟମ ରିପୋର୍ଟ ପରେ ସେ କିପରି ମରିଛି ତାହା ସ୍ପଷ୍ଟ ହେବ।