ଲୋକସଭା ନିର୍ବାଚନ: କେଓ୍ବାଇସି ଆପ୍ ଦେବ ପ୍ରାର୍ଥୀଙ୍କ ସମ୍ପର୍କରେ ସମସ୍ତ ସୂଚନା, ଅପରାଧିକ ରେକର୍ଡ ବି ଯାଞ୍ଚ୍ କରିପାରିବେ ଭୋଟର | News Room Odisha

ଲୋକସଭା ନିର୍ବାଚନ: କେଓ୍ବାଇସି ଆପ୍ ଦେବ ପ୍ରାର୍ଥୀଙ୍କ ସମ୍ପର୍କରେ ସମସ୍ତ ସୂଚନା, ଅପରାଧିକ ରେକର୍ଡ ବି ଯାଞ୍ଚ୍ କରିପାରିବେ ଭୋଟର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ନିର୍ବାଚନ କମିଶନ ଏକ ନୂଆ ରୂପରେ କେଓ୍ବାଇସି (Know Your Candidate) ଆପ୍ ଆଣିଛନ୍ତି । ଏହି ଆପ୍ ଜରିଆରେ ଭୋଟରମାନେ ନିଜ ଅଞ୍ଚଳର ଲୋକସଭା ପ୍ରାର୍ଥୀ ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ। ଭୋଟରମାନଙ୍କ ପାଇଁ ଏହି ଆପ୍ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି, ଯାହା ଦ୍ୱାରା ସେମାନେ ନିଜ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପୃଷ୍ଠଭୂମି ଯାଞ୍ଚ୍ କରିପାରିବେ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଲୋକସଭା ନିର୍ବାଚନ ତାରିଖ ଘୋଷଣା ବେଳେ ଏହି ଆପ୍ ସମ୍ପର୍କରେ ସୂଚନା ଦେଇଥିଲେ । ଲୋକସଭା ନିର୍ବାଚନ ତାରିଖ ଘୋଷଣା ସହ ଏହି ଆପକୁ ମଧ୍ୟ ଅପଡେଟ୍ କରାଯାଇଛି। ଭୋଟରମାନେ ସେମାନଙ୍କ ପ୍ରାର୍ଥୀଙ୍କ ବିଷୟରେ ଜାଣିବା ଆବଶ୍ୟକ ଏବଂ ଏଥିରେ ଏହି ଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ।

କେଓ୍ବାଇସି ଆପ୍ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ୟୁଜରଙ୍କ ପାଇଁ ଉପଲବ୍ଧ । ନିର୍ବାଚନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବାକୁ ଏହି ଆପ୍ ଅଣାଯାଇଛି | ଏହି ଆପରେ ଭୋଟରମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ସହ ଜଡ଼ିତ ସମସ୍ତ ସୂଚନା ପାଇବେ | ଯାହାଫଳରେ ସେମାନେ ନିଜ ମତାଧିକାର ସାବ୍ୟସ୍ତ କରିବା ବେଳେ ସଠିକ୍ ନିଷ୍ପତ୍ତି ନେଇପାରିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ଅଭିଯୋଗ ଥାଏ, ତେବେ ଏହା ସହ ଜଡ଼ିତ ସମସ୍ତ ସୂଚନା ମଧ୍ୟ ଏହି ଆପ୍ ଦେବ। ଏହାଛଡ଼ା ପ୍ରାର୍ଥୀ ମାନଙ୍କ ସମ୍ପତ୍ତି ଏବଂ ଋଣ ସମ୍ପର୍କରେ ସୂଚନା ମଧ୍ୟ ଉପଲବ୍ଧ ହେବ | ପ୍ରାର୍ଥୀମାନେ ଖବରକାଗଜ ଓ ଟିଭିରେ ତିନିଥର ସେମାନଙ୍କ ଅପରାଧିକ ରେକର୍ଡ ପ୍ରକାଶ କରିବା ବାଧ୍ୟତାମୂଳକ କରିଛନ୍ତିି ନିର୍ବାଚନ କମିଶନ। ଏହାଛଡ଼ା ଯଦି କୌଣସି ଦଳ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି, ତେବେ ତାଙ୍କୁ ଚୟନ କରିବାର କାରଣ ମଧ୍ୟ ଦେବାକୁ ପଡ଼ିବ।

କେଓ୍ବାଇସି ଆପ୍ ଲଞ୍ଚ ହେବା ସହିତ ନିର୍ବାଚନ କମିଶନ ଆସନ୍ତା ଲୋକସଭା ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଦେଶରେ ସାଧାରଣ ନିର୍ବାଚନ ୧୯ ଏପ୍ରିଲରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ ।