ଅନ୍ୟ ଦେଶ ତୁଳନାରେ ଭାରତରେ ସୋସିଆଲ ମିଡ଼ିଆ ନିୟମାବଳୀ ବେଶ୍ କଡ଼ା: ଏଲନ ମସ୍କ | News Room Odisha

ଅନ୍ୟ ଦେଶ ତୁଳନାରେ ଭାରତରେ ସୋସିଆଲ ମିଡ଼ିଆ ନିୟମାବଳୀ ବେଶ୍ କଡ଼ା: ଏଲନ ମସ୍କ

ୱାଶିଂଟନ: ଭାରତରେ ସୋସିଆଲ ମିଡ଼ିଆ ସମ୍ବନ୍ଧୀୟ ନିୟମ ଅନ୍ୟ ଦେଶ ତୁଳନାରେ ବେଶ୍ କଡ଼ା । ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆମକୁ ଅନେକ ପୋଷ୍ଟ ହଟାଇବାକୁ ପଡ଼ିଥାଏ । ନିୟମ ନ ମାନିଲେ ଜେଲ୍ ଯିବାକୁ ପଡ଼ିବ ବୋଲି ଟ୍ବିଟର ମାଲିକ ଏଲନ ମସ୍କ କହିଛନ୍ତି ।

ଟ୍ବିଟର ମତ ବିନିମୟର ଏକ ଖୋଲା ମଞ୍ଚ ହେବା ଉଚିତ । ଏଥିପାଇଁ କୌଣସି କଟକଣା ରହିବା ଉଚିତ ନୁହେଁ। କିନ୍ତୁ ଭାରତରେ ଏହା ସମ୍ଭବ ନୁହେଁ ବୋଲି ବିବିସିକୁ ଏକ ସାକ୍ଷାତ୍‌କାରରେ କହିଛନ୍ତି ମସ୍କ । ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶରେ ଟ୍ବିଟର ୟୁଜରଙ୍କୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ନିଜ ମତ ପ୍ରକାଶ କରିବାକୁ ଯେଉଁଭଳି ସ୍ବାଧୀନତା ମିଳୁଛି, ଭାରତରେ ସେଭଳି ସ୍ବାଧୀନତା ମିଳୁନି । କାରଣ ଭାରତର ସୋସିଆଲ ମିଡ଼ିଆ ନିୟମାବଳୀ ଅତ୍ୟନ୍ତ କଠୋର ବୋଲି ମସ୍କ କହିଛନ୍ତି ।

ମସ୍କ ସ୍ବୀକାର କରିଛନ୍ତି ଯେ, ଭାରତରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଟ୍ବିଟର ଅନେକ ସମୟରେ ଲୋକଙ୍କ ଆକାଉଣ୍ଟକୁ ବ୍ଲକ୍ କରୁଛି କିମ୍ବା ସେମାନଙ୍କ ପୋଷ୍ଟକୁ ହଟାଇ ଦେଉଛି। ଟ୍ବିଟର କର୍ମଚାରୀମାନେ ଯଦି ସରକାରଙ୍କ ଆଦେଶ ବା ନିୟମକୁ ନ ମାନିବେ ତେବେ ସେମାନଙ୍କୁ ଜେଲ୍ ଯିବାକୁ ପଡ଼ିବ। ଟ୍ବିଟର କର୍ମଚାରୀମାନେ ଭାରତରେ ଜେଲ୍ ଯାଆନ୍ତୁ ବୋଲି ସେ ଚାହାନ୍ତି ନାହିଁ। ଟ୍ବିଟର ଭାରତ ସରକାରଙ୍କ ଆଇନ ମାନିବାକୁ ବାଧ୍ୟ। ତେବେ ଭାରତର କେଉଁ ନିର୍ଦ୍ଦିଷ୍ଟ ନିୟମ ବିଷୟରେ ସେ କହୁଛନ୍ତି ତାହା ମସ୍କ ସ୍ପଷ୍ଟ କରିନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରସ୍ତୁତ ବିବିସି ଡକୁମେଣ୍ଟାରି ସମ୍ପର୍କିତ ପୋଷ୍ଟକୁ ଟ୍ବିଟର ବ୍ଲକ୍ କରିବା ନେଇ ବିବିସି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମସ୍କ ଏହା କହିଥିଲେ।