ସାପ ବିଷ ମାମଲା: ୟୁଟ୍ୟୁବର୍ ଏଲଭିଶ୍ ଯାଦବଙ୍କୁ ଦୁଇ ଘଣ୍ଟା ଜେରା, ଜବତ ସାପ ଗୁଡ଼ିକର ବିଷ ଗ୍ରନ୍ଥି ଗାଏବ | News Room Odisha

ସାପ ବିଷ ମାମଲା: ୟୁଟ୍ୟୁବର୍ ଏଲଭିଶ୍ ଯାଦବଙ୍କୁ ଦୁଇ ଘଣ୍ଟା ଜେରା, ଜବତ ସାପ ଗୁଡ଼ିକର ବିଷ ଗ୍ରନ୍ଥି ଗାଏବ

ନୋଏଡା: ଏକ ଡ୍ରଗ୍ସ ପାର୍ଟିରେ ସାପ ବିଷ ବ୍ୟବହାର ଅଭିଯୋଗରେ ନୋଏଡା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ୟୁଟ୍ୟୁବର୍ ଏବଂ ‘ବିଗ୍ ବସ୍ ଓଟିଟି-୨’ ବିଜେତା ଏଲଭିଶ୍ ଯାଦବଙ୍କୁ ପଚରାଉଚରା କରିଛି ।

ପ୍ରାଣୀ ଚିକିତ୍ସା ବିଭାଗର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଗତ ସପ୍ତାହରେ ଅଭିଯୁକ୍ତଙ୍କ ନିକଟରୁ ଜବତ ସମସ୍ତ ସାପର ବିଷ ଗ୍ରନ୍ଥି ନଥିଲା।

ଏହି ମାମଲାରେ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ ଏବଂ ଭାରତୀୟ ଦଣ୍ଡବିଧି ଧାରା ୧୨୦-ବି ଅନୁଯାୟୀ ରୁଜୁ ଏତଲାରେ ୬ ଜଣଙ୍କ ଅଭିଯୁକ୍ତଙ୍କ ମଧ୍ୟରେ ଏଲଭିଶ୍ ଯାଦବଙ୍କ ନାଁ ବି ରହିଛି।

ନୋଏଡା ପୋଲିସର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଗଣମାଧ୍ୟମକୁ କହିଛନ୍ତି, ଯାଦବ ଏହି ଘଟଣାର ତଦନ୍ତରେ ଯୋଗ ଦେଇଛନ୍ତି। ସେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୧.୩୦ରେ ପୋଲିସ ଥାନାରେ ପହଞ୍ଚିଥିଲେ। ଏହା ପରେ ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ତାଙ୍କୁ ପୁଣି ଡକାଯିବ।”

ଏହି ମାମଲାରେ ଗିରଫ ହୋଇଥିବା ପାଞ୍ଚ ଜଣଙ୍କୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିସାରିଛି।

ତଦନ୍ତ କମିଟିର ମୁଖ୍ୟ ଡକ୍ଟର ନିଖିଲ ଭର୍ଶନି କହିଛନ୍ତି, ପ୍ରାଣୀ ଚିକିତ୍ସା ବିଭାଗ ତଦନ୍ତରୁ ଜାଣିବାକୁ ପାଇଛି ଯେ ନଭେମ୍ବର ୩ରେ ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର ହୋଇଥିବା ପାଞ୍ଚଟି ନାଗ ସହ ସମସ୍ତ ୯ଟି ସାପରେ ବିଷ ଗ୍ରନ୍ଥି ଗାଏବ ଥିଲା ।

ନଭେମ୍ବର ୩ରେ ନୋଏଡା ସେକ୍ଟର-୫୧ ସ୍ଥିତ ଏକ ବଙ୍କ୍ବେଟ୍ ହଲରୁ ଏହି ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ପାଞ୍ଚଟି ନାଗ ସହ ୯ଟି ସାପ ଜବତ କରାଯାଇଥିଲା। ଏଥିସହ ଅଭିଯୁକ୍ତମାନଙ୍କ ଠାରୁ ୨୦ ମିଲି ମିଟର ସାପ ବିଷ ମଧ୍ୟ ଜବତ କରାଯାଇଥିଲା

ପୋଲିସ କହିଛି ଯେ ଏଲଭିଶ୍ ପାର୍ଟି ହଲରେ ଉପସ୍ଥିତ ନଥିଲେ । ତେବେ ଡ୍ରଗ୍ସ ପାର୍ଟିରେ ସାପ ବିଷ ବ୍ୟବହାର ନେଇ ତାଙ୍କ ଭୂମିକାର ତଦନ୍ତ କରାଯାଉଛି। ପ୍ରାଣୀ ଅଧିକାର ସଂଗଠନ ‘ପିଏଫଏ (ପିପୁଲ୍ସ ଫର ଆନିମଲ୍ସ)’ ଏହି ଘଟଣାର ଖୁଲାସା କରିଥିଲା ‌।