ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଷ୍ଟାଡିୟମ୍ ଖାଲି | News Room Odisha

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଷ୍ଟାଡିୟମ୍ ଖାଲି

ଅହମ୍ମଦାବାଦ: ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଓ ଗତ ଥରର ରନର୍ସ ଅପ୍ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚରୁ ଆରମ୍ଭ ହୋଇଛି ଦିନିକିଆ ବିଶ୍ୱକପ । ତେବ‌େ ବିଶ୍ଵକପର ଏହି ପ୍ରଥମ ମ୍ୟାଚ୍ ବେଳେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପ୍ରାୟତଃ ଫାଙ୍କା ରହିଥିଲା । ମ୍ୟାଚ୍ ଆରମ୍ଭରୁ ୧୦ ହଜାର ଦର୍ଶକ ଉପସ୍ଥିତ ଥିଲେ । ଦିନ ବଢିବା ସହିତ ଏହି ସଂଖ୍ୟା ୧୫ ରୁ ୧୭ ହଜାର ମଧ୍ୟରେ ସୀମିତ ରହିଥିଲା ।

ଏଥିରୁ ଜଣାପଡୁଛି ଯେ ଭାରତରେ ଏଥର ଏକା ସାଙ୍ଗରେ ଦୁଇଟି ବିଶ୍ୱକପ୍ ଖେଳାଯିବ। ଗୋଟିଏରେ ଭାରତୀୟ ଦଳ ଖେଳିବ ଓ ଏଥିପାଇଁ ଟିକେଟ୍ ଲାଗି ଝଗଡ଼ା ହେବ । ଏପରିକି ବିରାଟ କୋହଲି ମଧ୍ୟ ତାଙ୍କୁ ଟିକେଟ୍ ନ ମାଗିବାକୁ ଇନଷ୍ଟାଗ୍ରାମରେ ଫ୍ୟାନମାନଙ୍କୁ କହିସାରିଛନ୍ତି । ଦ୍ବିତୀୟ ବିଶ୍ବକପ୍ ଏପରି ହେବ ଯେଉଁଥିରେ ଗ୍ରାଉଣ୍ଡ ଖାଲି ପଡ଼ିବ ।

ଚାରି ବର୍ଷ ପୂର୍ବେ ଲର୍ଡ୍ସରେ ଐତିହାସିକ ଫାଇନାଲ୍ ଖେଳିଥିବା ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ କେବେ ଭାବିନଥିବେ ଯେ ସେମାନଙ୍କୁ ଏଥର ଏକ ଖାଲି ଷ୍ଟାଡିୟମରେ ଅଭିଯାନ ଆରମ୍ଭ କରିବାକୁ ପଡ଼ିବ।

ଉଦଘାଟନୀ ମ୍ୟାଚ୍ ପୂର୍ବରୁ ବିଶ୍ୱକପ ପାଇଁ ଆଇସିସିର ଗ୍ଲୋବାଲ ଆମ୍ବାସଡର ସଚିନ ତେନ୍ଦୁଲକର ଟ୍ରଫି ନେଇ ଯେତେବେଳେ ପଡ଼ିଆକୁ ଓହ୍ଲାଇଥିଲେ ଏପରି ଖାଲି ଷ୍ଟାଡିୟମ ଦେଖି ଏହି ଚାମ୍ପିୟନ ବ୍ୟାଟ୍ସମ୍ୟାନ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଥିବେ ନିଶ୍ଚୟ । ଭାରତ ବ୍ୟତୀତ ଅନ୍ୟ ମ୍ୟାଚରେ ମଧ୍ୟ ଦର୍ଶକମାନେ ‘ସଚିନ୍ ସଚିନ୍’ ରଡ଼ି ସହ ଗ୍ରାଉଣ୍ଡ କମ୍ପାଇବା ବହୁଥର ଦେଖିବାକୁ ମିଳିଛି । କିନ୍ତୁ ଆଜି ସେପରି କିଛି ହୋଇନଥିଲା।

ବିଶ୍ୱକପର ପ୍ରଥମ ମ୍ୟାଚରେ ଖାଲି ଷ୍ଟାଡିୟମରୁ ମଧ୍ୟ ଦିନିକିଆ କ୍ରିକେଟର ଲୋକପ୍ରିୟତା ହ୍ରାସ ପାଉଥିବା ସ୍ପଷ୍ଟ ହୋଇଛି । ହୁଏତ ଭାରତୀୟ ପ୍ରଶଂସକମାନେ ନିଜ ଷ୍ଟାର ଖେଳାଳିଙ୍କୁ ପସନ୍ଦ କରନ୍ତି, ଖେଳକୁ ନୁହେଁ ।

ଗୁଜୁରାଟ କ୍ରିକେଟ୍ ସଂଘର ଜଣେ ଅଧିକାରୀ କହିଛନ୍ତି, ସେମାନେ ବିଶ୍ବକପର ଉଦଘାଟନୀ ମ୍ୟାଚ୍ ପାଇଁ ୫୦ ରୁ ୬୦ ହଜାର ଦର୍ଶକ ଆଶା କରୁଥିଲେ। ଏପରିକି ସହରର ୩୦ ରୁ ୪୦ ହଜାର ମହିଳାଙ୍କୁ ମାଗଣା ଟିକେଟ ଦିଆଯାଇଥିଲା । କିନ୍ତୁ ଏହା ସତ୍ତ୍ୱେ ବହୁତ ସିଟ୍ ଖାଲି ପଡିଥିଲା।