News Room Odisha
BREAKING
Odia

କେଜ୍ରିୱାଲଙ୍କ ଗିରଫଦାରି ନେଇ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ; ଜର୍ମାନୀ, ଆମେରିକା ପରେ ଜାତିସଂଘର‌ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ଏବେ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି । ଜର୍ମାନୀ ଓ ଆମେରିକା ପରେ ଜାତିସଂଘ ବି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି । ନିର୍ବାଚନ ମୁହାଁ ଭାରତରେ ଲୋକଙ୍କର ରାଜନୈତିକ ତଥା ନାଗରିକ ଅଧିକାରକୁ ସୁରକ୍ଷା ଦେବାକୁ ଆହ୍ବାନ କରିଛି ଜାତିସଂଘ। କେଜ୍ରିୱାଲଙ୍କ ଗିରଫଦାରି ଏବଂ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ଦୃଷ୍ଟିରୁ ଆଗାମୀ ସାଧାରଣ ନିର୍ବାଚନ [...]

Admin•March 29, 2024
Share Article:

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ଏବେ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି । ଜର୍ମାନୀ ଓ ଆମେରିକା ପରେ ଜାତିସଂଘ ବି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି । ନିର୍ବାଚନ ମୁହାଁ ଭାରତରେ ଲୋକଙ୍କର ରାଜନୈତିକ ତଥା ନାଗରିକ ଅଧିକାରକୁ ସୁରକ୍ଷା ଦେବାକୁ ଆହ୍ବାନ କରିଛି ଜାତିସଂଘ।

କେଜ୍ରିୱାଲଙ୍କ ଗିରଫଦାରି ଏବଂ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ଦୃଷ୍ଟିରୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତରେ ରାଜନୈତିକ ପରିସ୍ଥିତିକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଏପରି ମନ୍ତବ୍ୟ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର ।

ଗୁରୁବାର ଏକ ନିୟମିତ ସାମ୍ବାଦିକ ସମ୍ମିଳନୀରେ ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟେଫେନ ଦୁଜାରିକ କହିଛନ୍ତି, ଭାରତ ଓ ନିର୍ବାଚନ ହେବାକୁ ଥିବା ଅନ୍ୟ ଦେଶ ଗୁଡ଼ିକରେ ରାଜନୈତିକ ଓ ନାଗରିକ ଅଧିକାର ସହ ସମସ୍ତଙ୍କ ଅଧିକାର ସୁରକ୍ଷିତ ରହିବ ବୋଲି ଆମେ ଆଶା କରୁଛୁ। ଯାହା ଫଳରେ ସମସ୍ତେ ଏକ ମୁକ୍ତ ଏବଂ ନିରପେକ୍ଷ ପରିବେଶରେ ଭୋଟ୍ ଦେବାକୁ ସମର୍ଥ ହେବେ ।

ମିଳିତ ଜାତିସଂଘର ଏହି ବୟାନର ଦିନକ ପୂର୍ବରୁ କେଜ୍ରିୱାଲଙ୍କ ଗିରଫଦାରି ଏବଂ କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟ ଉପରେ କଟକଣା ନେଇ ଏକ ପ୍ରଶ୍ନରେ ମଧ୍ୟ ଆମେରିକା ଅନୁରୂପ ପ୍ରତିକ୍ରିୟା ଦେଇଥିଲା ।

କେଜ୍ରିୱାଲଙ୍କ ମାମଲାରେ ମନ୍ତବ୍ୟକୁ ବିରୋଧ କରି ଭାରତ ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ସମନ କରି କଡ଼ା ବିରୋଧ ଜଣାଇଥିଲା । ଏହାର କିଛି ଘଣ୍ଟା ପରେ ୱାଶିଂଟନ୍ ପୁଣି ଏହି ମାମଲାରେ ନିଜ ମତ ଦୋହରାଇଥିଲା। ନିରପେକ୍ଷ, ସ୍ୱଚ୍ଛ ଏବଂ ସମୟୋପଯୋଗୀ ଆଇନଗତ ପ୍ରକ୍ରିୟାକୁ ଆମେ ପ୍ରୋତ୍ସାହିତ କରୁଛୁ ବୋଲି
ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଥିଲେ । ଆମେରିକାର ଏପରି ଆଚରଣକୁ ଭାରତ ପୁଣି ବିରୋଧ କରିଥିଲା । ଏପରି ମନ୍ତବ୍ୟକୁ ‘ଅନୁଚିତ’ ବୋଲି କହିଥିଲା ଭାରତ ।

ଏହା ପୂର୍ବରୁ ଜର୍ମାନୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରିକୁ ନେଇ କହିଥିଲା ଭାରତ ଭଳି ଏକ ଗଣତନ୍ତ୍ରିକ ରାଷ୍ଟ୍ରରେ ନ୍ୟାୟିକ ପ୍ରକ୍ରିୟା ନିରପେକ୍ଷ ରହିବ ବୋଲି ଆମେ ଆଶା କରୁଛୁ । ଜର୍ମାନୀର ମନ୍ତବ୍ୟକୁ ମଧ୍ୟ କଡ଼ା ବିରୋଧ କରି ଏହା ଆମ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବୋଲି କହିଥିଲା ଭାରତ ।

#Odia#Odisha#News
Share Article:

Related Articles