News Room Odisha
BREAKING
Odia

ନୀତିଶ ପୁଣି ବିଜେପି ସହ ହାତ ମିଳାଇବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ମଧ୍ୟରେ ମତଭେଦ ଖବର ମଧ୍ୟରେ ଜନତା ଦଳ (ୟୁନାଇଟେଡ୍) ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟକୁ ଫେରିବା ସମ୍ଭାବନା ରହିଛି। ରାଜନୀତିରେ ପରିବାରବାଦକୁ ପ୍ରୋତ୍ସାହିତ କରୁଥିବା ଦଳ ମାନଙ୍କ ଉପରେ ନୀତିଶ କୁମାରଙ୍କ କଟାକ୍ଷ ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ‘ଏକ୍ସ’ ପୋଷ୍ଟରେ ପବନର ଦିଗ ପରିବର୍ତ୍ତନ ସହ “ଆଦର୍ଶ ବଦଳାଇବା” ନେଇ ନୀତିଶଙ୍କୁ [...]

Admin•January 25, 2024
Share Article:

ନୂଆଦିଲ୍ଲୀ: ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ମଧ୍ୟରେ ମତଭେଦ ଖବର ମଧ୍ୟରେ ଜନତା ଦଳ (ୟୁନାଇଟେଡ୍) ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟକୁ ଫେରିବା ସମ୍ଭାବନା ରହିଛି।

ରାଜନୀତିରେ ପରିବାରବାଦକୁ ପ୍ରୋତ୍ସାହିତ କରୁଥିବା ଦଳ ମାନଙ୍କ ଉପରେ ନୀତିଶ କୁମାରଙ୍କ କଟାକ୍ଷ ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ‘ଏକ୍ସ’ ପୋଷ୍ଟରେ ପବନର ଦିଗ ପରିବର୍ତ୍ତନ ସହ “ଆଦର୍ଶ ବଦଳାଇବା” ନେଇ ନୀତିଶଙ୍କୁ ସମାଲୋଚନା କରିଥିଲେ। ବିହାର ଶାସକ ମେଣ୍ଟର ଦୁଇ ପ୍ରମୁଖ ସହଯୋଗୀ ଜେଡିୟୁ ଓ ଆରଜେଡି ପରସ୍ପରକୁ ଏପରି କଟାକ୍ଷ କରିବା ପରଠୁ ବିହାର ରାଜନୀତି ସରଗରମ ହୋଇଉଠିଛି ।

ବିହାରର ଜଣେ ବିଜେପି ନେତା କହିଛନ୍ତି, ଅତୀତର ତିକ୍ତତା ନୁହେଁ ବରଂ ଭବିଷ୍ୟତର ରାଜନୈତିକ ଅନିବାର୍ଯ୍ୟତା ଅନୁସାରେ ଦଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ। ତେବେ ଏନେଇ ଦଳୀୟ ନେତୃତ୍ୱ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ନୀତିଶ କୁମାରଙ୍କୁ ପୁଣି ‘ଏନଡିଏ’ରେ ସାମିଲ କରିବାକୁ ବିଜେପି ଆଗ୍ରହୀ ଥିବା ଭଳି ମନେହୁଏ। କ୍ଷମତାରେ ଥିବାବେଳେ ନୀତିଶ କୁମାର କେତେବେଳେ ବିଜେପି ସହ ତ ପୁଣି କେବେ ଆରଜେଡି-କଂଗ୍ରେସ-ବାମ ମେଣ୍ଟ ସହ ହାତ ମିଳାଇଛନ୍ତି।

ନୀତିଶ ପୁଣି ବିଜେପି ଶିବିରରେ ଯୋଗଦେବା ସମ୍ଭାବନା ନେଇ ନିକଟରେ ଏକ ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଙ୍କେତ ଦେଇଥିଲେ। ଜନତା ଦଳ (ୟୁ) ଅଧ୍ୟକ୍ଷ ବିଜେପି ନେତୃତ୍ୱାଧୀନ ମେଣ୍ଟକୁ ଫେରିବା ସମ୍ଭାବନା ସମ୍ପର୍କରେ ପଚରା ଯିବାରୁ ଶାହା କହିଥିଲେ ଯଦି ଏପରି ପ୍ରସ୍ତାବ ଆସେ ତେବେ ଦଳ ଏହାକୁ ବିଚାର କରିବ।

ଏହା ପୂର୍ବରୁ ଶାହ ପ୍ରାୟତଃ କହି ଆସୁଥିଲେ ଯେ ନୀତିଶ କୁମାରଙ୍କ ପାଇଁ ‘ଏନଡିଏ’ ଦ୍ବାର ବନ୍ଦ ହୋଇଯାଇଛି ।

ଦୀର୍ଘ ଦିନ ଧରି ବିହାରର ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ନୀତିଶ କୁମାରଙ୍କୁ ବିରୋଧୀ ‘ଇଣ୍ଡିଆ’ ମେଣ୍ଟରେ ତାଙ୍କ ରାଜନୈତିକ ସ୍ତର ଅନୁସାରେ ପଦବୀ ନ ମିଳିବାରୁ ଜେଡି (ୟୁ) ନେତାମାନେ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଛି ।

ନୀତିଶ କୁମାର ମଧ୍ୟ ମୋଦୀ ସରକାରଙ୍କ ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବ ସପକ୍ଷରେ ଅଛନ୍ତି । କିନ୍ତୁ ଏହି ପ୍ରସଙ୍ଗରେ ରାଜ୍ୟର ଶାସକ ମେଣ୍ଟର ବୃହତ୍ତମ ଦଳ ଆରଜେଡି ପକ୍ଷରୁ କୌଣସି ସକାରାତ୍ମକ ପ୍ରତିକ୍ରିୟା ମିଳିନାହିଁ।

#Odia#Odisha#News
Share Article:

Related Articles