News Room Odisha
BREAKING
Odia

ଆପର ଅଭିଯୋଗ: ସ୍ବାତି ମାଲିୱାଲ ମାମଲା କେଜ୍ରିୱାଲଙ୍କୁ ଫସାଇବା ପାଇଁ ବିଜେପିର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ସ୍ବାତି ମାଲିୱାଲଙ୍କ ଉପରେ ଆକ୍ରମଣ ମାମଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଫସାଇବା ପାଇଁ ବିଜେପିର ଷଡ଼ଯନ୍ତ୍ର ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ଶୁକ୍ରବାର ଅଭିଯୋଗ କରିଛି। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକଙ୍କ ବିରୋଧରେ ରାଜ୍ୟସଭା ସଦସ୍ୟ ମାଲିୱାଲଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଦଳ କହିଛି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ମାଲିୱାଲଙ୍କୁ ମାରପିଟ୍ ଅଭିଯୋଗରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବାର ଦିନକ ପରେ ଆପ ଏଭଳି [...]

Admin•May 17, 2024
Share Article:

ନୂଆଦିଲ୍ଲୀ: ସ୍ବାତି ମାଲିୱାଲଙ୍କ ଉପରେ ଆକ୍ରମଣ ମାମଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଫସାଇବା ପାଇଁ ବିଜେପିର ଷଡ଼ଯନ୍ତ୍ର ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ଶୁକ୍ରବାର ଅଭିଯୋଗ କରିଛି। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକଙ୍କ ବିରୋଧରେ ରାଜ୍ୟସଭା ସଦସ୍ୟ ମାଲିୱାଲଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଦଳ କହିଛି।

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ମାଲିୱାଲଙ୍କୁ ମାରପିଟ୍ ଅଭିଯୋଗରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବାର ଦିନକ ପରେ ଆପ ଏଭଳି ଟିପ୍ପଣୀ କରିଛି।

ଦଳର ବରିଷ୍ଠ ନେତ୍ରୀ ଆତିଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି, ସେ (ମାଲିଓ୍ବାଲ) କୌଣସି ଆଗୁଆ ଆପଏଣ୍ଟମେଣ୍ଟ ନ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ କରିବା ହିଁ ତାଙ୍କର ଉଦ୍ଦେଶ୍ୟ ଥିଲା।

ଆତିଶୀ କହିଛନ୍ତି, “ଆଜି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ମାଲିୱାଲଙ୍କ ମିଛର ପର୍ଦ୍ଦାଫାସ କରିଛି। ମାଲିଓ୍ବାଲ ତାଙ୍କ ଏତଲାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯାଇଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ସାର୍ଟର ବଟନ୍ ଛିଣ୍ଡାଇ ଦିଆଯାଇଥିଲା। କିନ୍ତୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ଏହାର ପୂରା ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି।”

ଏଫ୍ଆଇଆର୍ ମୁତାବକ, ବିଭବ କୁମାର ମାଲିୱାଲଙ୍କୁ ୭-୮ ଥର ଚାପୁଡ଼ା ମାରିଥିଲେ। ତାଙ୍କୁ ମାଡ଼ ନ ମାରିବାକୁ ମାଲିୱାଲ ନେହୁରା ହେବା ସତ୍ତ୍ୱେ ବିଭବ କୁମାର ଅଟକି ନଥିଲେ।

ଆତିଶୀ କହିଛନ୍ତି – ଏହି ଭିଡ଼ିଓରେ ମାଲିୱାଲ “ଡ୍ରଇଂ ରୁମରେ ଆରାମରେ ବସିଛନ୍ତି ଓ ସୁରକ୍ଷା କର୍ମୀଙ୍କୁ ଧମକ ଦେଉଛନ୍ତି । ତାଙ୍କ ପୋଷାକ ମଧ୍ୟ ଚିରି ନଥିବା ଦେଖାଯାଉଛି।

ସେ ଦାବି କରିଛନ୍ତି, “ଭିଡିଓରେ ସେ ବିଭବ କୁମାରଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି। ମାଲିୱାଲଙ୍କ ଅଭିଯୋଗ ଭିତ୍ତିହୀନ। କେଜ୍ରିୱାଲଙ୍କୁ ଭେଟିବାକୁ ମାଲିୱାଲ ଜିଦ୍ ଧରିଥିଲେ। ସେ ଜଣେ ରାଜ୍ୟସଭା ସଦସ୍ୟ ଏବଂ ସେ ଜାଣିବା ଉଚିତ ଯେ ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ବିଭବ କୁମାର ତାଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଅଛନ୍ତି ଏବଂ ତାଙ୍କୁ ଭେଟି ପାରିବେ ନାହିଁ। ସେ ତାଙ୍କ ଉପରେ ପାଟି କରି ତାଙ୍କୁ (କୁମାର) ଠେଲି ଦେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।

ସେ ଅଭିଯୋଗ କରିଛନ୍ତି, “ପୂରା ଘଟଣାରୁ ସ୍ପଷ୍ଟ ଯେ ଏହା ବିଜେପି ଦ୍ୱାରା ଏକ ଷଡ଼ଯନ୍ତ୍ର ଥିଲା ଏବଂ କେଜ୍ରିୱାଲଙ୍କୁ ଫସାଇବା ପାଇଁ ସ୍ବାତି ମାଲିୱାଲଙ୍କୁ ଏହାର ଚେହେରା କରାଯାଇଥିଲା। ଆତିଶୀ କହିଛନ୍ତି, ବିଭବ କୁମାର ମଧ୍ୟ ମାଲିୱାଲଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି।

ଆପର ବରିଷ୍ଠ ନେତା ସଞ୍ଜୟ ସିଂହ ମଙ୍ଗଳବାର ମାନିଥିଲେ ଯେ ମାଲିୱାଲଙ୍କ ସହ ବିଭବ କୁମାର ଦୁର୍ବ୍ୟବହାର କରିଥିଲେ। ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଥିଲେ।

ସଞ୍ଜୟ ସିଂହ ମାଲିୱାଲଙ୍କ ସହ ଅସଦାଚରଣ କଥା ମାନିଛନ୍ତି ବୋଲି ପଚରାଯିବାରୁ ଆତିଶୀ କହିଛନ୍ତି, “ଆପ୍ ସାଂସଦ ସଞ୍ଜୟ ସିଂ‌ହ ମାଲିୱାଲଙ୍କୁ ଭେଟିଥିଲେ ଏବଂ କେବଳ ତାଙ୍କ ପକ୍ଷ ଶୁଣିଥିଲେ। କିନ୍ତୁ ବର୍ତ୍ତମାନ ଏହି ଭିଡ଼ିଓ ସତକୁ ସାମ୍ନାକୁ ଆଣିଛି। ”

#Odia#Odisha#News
Share Article:

Related Articles