ଆସେସ୍ ସିରିଜ୍ ପରେ ମଦପାର୍ଟିରେ ମାତିଲେ ଅଷ୍ଟ୍ରେଲିଆ, ଇଂଲଣ୍ଡର ଖେଳାଳି, ଭିଡ଼ିଓ ଭାଇରାଲ୍, ତଦନ୍ତ ନିର୍ଦ୍ଦେଶ ଦେଲା ଇସିବି | News Room Odisha

ଆସେସ୍ ସିରିଜ୍ ପରେ ମଦପାର୍ଟିରେ ମାତିଲେ ଅଷ୍ଟ୍ରେଲିଆ, ଇଂଲଣ୍ଡର ଖେଳାଳି, ଭିଡ଼ିଓ ଭାଇରାଲ୍, ତଦନ୍ତ ନିର୍ଦ୍ଦେଶ ଦେଲା ଇସିବି

ମେଲବୋର୍ଣ୍ଣ: ଆସେସ୍ ସିରିଜ୍ ପରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡର ଖେଳାଳିମାନେ ରାତିସାରା ହୋଟେଲ ଛାତ ଉପରେ ଏକ ମଦ ପାର୍ଟି କରିଥିଲେ। ପାର୍ଟି ସମୟରେ ଯେତେବେଳେ ପାଟି ଶୁଣାଗଲା, ଲୋକମାନେ ଏନେଇ ଅଭିଯୋଗ କରିଥିଲେ। ତା’ପରେ ପୋଲିସ ସେଠାରେ ପହଞ୍ଚି ଖେଳାଳିମାନଙ୍କୁ ଜବରଦସ୍ତ ସେମାନଙ୍କ ରୁମକୁ ପଠାଇଥିଲା | ପୋଲିସ ଖେଳାଳିଙ୍କୁ ଶୋଇବାକୁ ଯିବାକୁ କହିଥିଲା। ଆସେସ୍ ବିପର୍ଯ୍ୟୟ ପରେ ଖେଳାଳିଙ୍କ ମଦ ପାର୍ଟିର ଭିଡ଼ିଓ ଭାଇରାଲ୍ ହେବା ପରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି ।

‘ଡେଲି ଟେଲିଗ୍ରାଫ’ର ଏକ ରିପୋର୍ଟ ଅନୁଯାୟୀ ସୋମବାର ସକାଳ ପର୍ଯ୍ୟନ୍ତ ଚାଲିଥିବା ଏହି ମଦପାର୍ଟିରେ ଅଷ୍ଟ୍ରେଲିଆର ଅଫ-ସ୍ପିନର ନାଥାନ ଲାୟନ, ଟ୍ରାଭିସ ହେଡ, ଆଲେକ୍ସ କାରେ, ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ ଏବଂ ଭେଟେରାନ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ମଧ୍ୟ ସାମିଲ ଥିଲେ। ଏହି ସବୁ ଖେଳାଳିଙ୍କୁ ସେମାନଙ୍କ ଟେଷ୍ଟ ଜର୍ସିରେ ଦେଖିବାକୁ ମିଳିଥିଲା ​​|

ଆସେସ୍ ସିରିଜର ପଞ୍ଚମ ଟେଷ୍ଟ ମ୍ୟାଚ୍ ହୋବାର୍ଟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୧୪୬ ରନରେ ଜିତିଥିଲା ​​| ଏହି ସିରିଜରେ ଇଂଲଣ୍ଡ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା | ଜୋ ରୁଟଙ୍କ ଦଳ ସିରିଜ୍ ୪-୦ରେ ହାରିଥିଲା।