ଭାରତର ଆଶା ଧୂଳିସାତ୍ କଲେ ରୁଟ୍, ବେୟାରଷ୍ଟୋ, ପଞ୍ଚମ ଟେଷ୍ଟକୁ ୭ ୱିକେଟରେ ଜିତିଲା ଇଂଲଣ୍ଡ | News Room Odisha

ଭାରତର ଆଶା ଧୂଳିସାତ୍ କଲେ ରୁଟ୍, ବେୟାରଷ୍ଟୋ, ପଞ୍ଚମ ଟେଷ୍ଟକୁ ୭ ୱିକେଟରେ ଜିତିଲା ଇଂଲଣ୍ଡ

ବର୍ମିଂହାମ: ଇଂଲଣ୍ଡରେ ୧୫ ବର୍ଷ ପରେ ଟେଷ୍ଟ ସିରିଜ୍ ଜିତିବାର ଭାରତର ଆଶା ଧୂଳିସାତ୍ ହୋଇଯାଇଛି | ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ୭ ୱିକେଟରେ ଭାରତକୁ ହରାଇ ଦେଇଛି । ଜୋ ରୁଟ୍ (୧୪୨ *) ଏବଂ ଜନି ବେୟାରଷ୍ଟୋ (୧୧୪ *) ଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୨୬୯ ରନର ଅବିଭକ୍ତ ଭାଗିଦାରୀ ବଳରେ ଇଂଲଣ୍ଡ ୩୭୮ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟକୁ ମାତ୍ର ତିନି ଓ୍ବିକେଟ୍ ହରାଇ ସହଜରେ ହାସଲ କରିନେଇଥିଲା। ଟେଷ୍ଟ କ୍ରିକେଟରେ ଇଂଲଣ୍ଡର ଏହା ଥିଲା ସବୁଠାରୁ ବଡ଼ ଚେଜ୍ । ୩୭୮ ରନର ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ବିକେଟ୍ ହରାଇ ୨୫୯ ରନ୍ କରିଥିଲା । ଆଜି ପଞ୍ଚମ ଦିବସରେ ଘରୋଇ ଦଳ ଅବଶିଷ୍ଟ ୧୧୯ ରନ୍ ହାସଲ କରି ଔପଚାରିକତା ପୂରଣ କରିଥିଲା । ଇଂଲଣ୍ଡର ଏହି ଐତିହାସିକ ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୨ରେ ଡ୍ର’ ରହିଛି ।

ପ୍ରଥମ ଥର ପାଇଁ ଭାରତ ବିରୋଧୀ ଦଳକୁ ୩୫୦ ରୁ ଅଧିକ ରନର ଟାର୍ଗେଟ ଦେବା ସତ୍ତ୍ବେ ହାରିଛି। ଇଂଲଣ୍ଡ ବିଜୟରେ ରୁଟ୍ ଓ ବେୟାରଷ୍ଟୋ ନାୟକ ସାଜିଥିଲେ । ଦ୍ବିତୀୟ ଇନିଂସରେ ଭାରତୀୟ ବୋଲର ଫେଲ୍ ମାରିଥିଲେ ।

ଜୋ ରୁଟ୍ ପଞ୍ଚମ ଦିନରେ ତାଙ୍କ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ହାସଲ କରିଥିଲେ | ୨୦୨୧ ପରେ ଏହି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ୪୭ଟି ଇନିଂସରେ ୧୧ଟି ଶତକ ହାସଲ କରିଛନ୍ତି। ଭାରତ ବିପକ୍ଷରେ ଏହା ରୁଟଙ୍କ ନବମ ଶତକ ଥିଲା। ଅନ୍ୟପକ୍ଷରେ ବେୟାରଷ୍ଟୋ ତାଙ୍କ ଜବରଦସ୍ତ ଫର୍ମ ଜାରି ରଖି କ୍ରମାଗତ ଚତୁର୍ଥ ଶତକ ମାରିଥିଲେ । ପ୍ରଥମ ଇନିଂସରେ ୧୩୨ ରନ୍ ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଭାରତ ଏହାର ଫାଇଦା ଉଠାଇବାରେ ବିଫଳ ହୋଇଥିଲା । ଭାରତ ଦ୍ୱିତୀୟ ଇନିଂସରେ କେବଳ ୨୪୫ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଫଳରେ ଇଂଲଣ୍ଡ ଆଗରେ ୩୭୮ ରନ୍ ଲକ୍ଷ୍ୟ ମିଳିଥିଲା ।