ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଇଂଲଣ୍ଡ | News Room Odisha

ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଇଂଲଣ୍ଡ

ପୁଣେ: ବିଶ୍ୱକପରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ୧୬୦ ରନରେ ନେଦରଲାଣ୍ଡସକୁ ହରାଇଛି | ଏଥିସହ ଦଳ ପାଞ୍ଚ ମ୍ୟାଚ୍ ପରାଜୟ ଧାରା ଭାଙ୍ଗିଛି । ପୂର୍ବରୁ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିବା ଇଂଲଣ୍ଡର ଏହା ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ବିଜୟ । ଏହାପୂର୍ବରୁ ଦଳ ବାଂଲାଦେଶକୁ ହରାଇଥିଲା ।

ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦଶମରୁ ସପ୍ତମ ସ୍ଥାନକୁ ଉଠି ଚାମ୍ପିୟନ୍ସ ଟ୍ରଫି ଯୋଗ୍ୟତା ପାଇଁ ଆଶା ଉଜ୍ଜୀବିତ କରିଛି । ପାକିସ୍ତାନରେ ୨୦୨୫ରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଆୟୋଜକ ଦଳ ସହ ଚଳିତ ବିଶ୍ୱକପର ଟପ୍ ୮ ଦଳ ଯୋଗ୍ୟତା ଅର୍ଜନ କରିବେ।

ପୁଣେର ଏମସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା।ବେନ୍ ଷ୍ଟୋକ୍ସଙ୍କ ଶତକ ସହାୟତାରେ ଇଂଲଣ୍ଡ ୯ ୱିକେଟ୍ ହରାଇ ୩୩୯ ରନ୍ କରିଥିଲା। ଷ୍ଟୋକ୍ସ ୮୪ ବଲରେ ୬ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ୧୦୮ ରନର ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଡେଭିଡ୍ ମାଲାନ (୮୭) ଏବଂ କ୍ରିସ୍ ଓ୍ବକ୍ସ (୫୧) ଅର୍ଦ୍ଧଶତକ ହାସଲ କରିଥିଲେ। ନେଦରଲାଣ୍ଡସ ତରଫରୁ ବାସ୍ ଡି ଲିଡ୍ ୩ଟି ୱିକେଟ୍ ନେଇଥିଲେ। ଆର୍ଯ୍ୟନ୍ ଦତ୍ତ ଏବଂ ଲୋଗାନ୍ ଭାନ୍ ବିକ୍ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

୩୪୦ ରନର ବିଶାଳ ବିଜୟଲକ୍ଷ୍ୟ ଜବାବରେ ନେଦରଲାଣ୍ଡସ ୩୭.୨ ଓଭରରେ ୧୭୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ତେଜା ନିଦାମାନୁରୁ ସର୍ବାଧିକ ୪୧ ରନ୍ କରିଥିବା ବେଳେ ଅଧିନାୟକ ସ୍କଟ୍ ଏଡଓ୍ବାର୍ଡ୍ସ ୩୮, ବାରେସି ୩୭ ଓ ସାଏବ୍ରାଣ୍ଡ୍ ଏଞ୍ଜେଲବ୍ରେଟ୍ ୩୩ ରନ୍ କରିଥିଲେ। ଇଂଲଣ୍ଡ ତରଫରୁ ମୋଇନ ଅଲି ଓ ଆଦିଲ ରସିଦ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ।

ପୂର୍ବରୁ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିବା ଇଂଲଣ୍ଡ ଦଳ ନେଦରଲାଣ୍ଡସକୁ ମଧ୍ୟ ବିଦା କରିଛି। ଏହି ଦୁଇ ଟିମ୍ ବ୍ୟତୀତ ଶ୍ରୀଲଙ୍କା ଏବଂ ବାଂଲାଦେଶକୁ ପୂର୍ବରୁ ସେମିଫାଇନାଲ ରେସରୁ ବାହାର ହୋଇସାରିଛନ୍ତି । ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିସାରିଥିବା ବେଳେ ଚତୁର୍ଥ ସ୍ଥାନ ପାଇଁ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।