ବିଜୟ ସହ ବିଶ୍ବକପ୍ ଅଭିଯାନ ଶେଷ କଲା ଇଂଲଣ୍ଡ, ୯୩ ରନରେ ପାକିସ୍ତାନକୁ ହରାଇଲା | News Room Odisha

ବିଜୟ ସହ ବିଶ୍ବକପ୍ ଅଭିଯାନ ଶେଷ କଲା ଇଂଲଣ୍ଡ, ୯୩ ରନରେ ପାକିସ୍ତାନକୁ ହରାଇଲା

କୋଲକାତା: ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡ ବିଶ୍ବକପରେ ଏହାର ଶେଷ ଲିଗ୍ ମ୍ୟାଚରେ ପାକିସ୍ତାନକୁ ୯୩ ରନରେ ହରାଇଛି | ଏହି ବିଜୟ ସହ ବିଶ୍ବକପ୍ ଅଭିଯାନ ଶେଷ କରିଛି ଇଂଲଣ୍ଡ। ପାକିସ୍ତାନର ଅଭିଯାନ ମଧ୍ୟ ଏହି ପରାଜୟ ସହିତ ଶେଷ ହୋଇଛି।

ଇଡେନ୍ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୯ ଓ୍ବିକେଟ୍ ହରାଇ ୩୩୭ ରନ୍ କରିଥିଲା । ଇଂଲଣ୍ଡ ଏହି ବିଶାଳ ସ୍କୋର ଛିଡ଼ା କରିବା ପରେ ପାକିସ୍ତାନର ଯେଉଁ ସାମାନ୍ୟ ସେମିଫାଇନାଲ ଆଶା ଥିଲା, ତାହା ମଉଳି ଯାଇଥିଲା । ଟପ୍-୪ରେ ସ୍ଥାନ ପକ୍କା କରିବା ପାଇଁ ପାକିସ୍ତାନକୁ ୩୩୮ ରନର ବିଜୟ ଲକ୍ଷ୍ୟକୁ କେବଳ ୪୦ଟି ବଲ୍ ଅର୍ଥାତ ୬.୪ ଓଭରରେ ହାସଲ କରିବା ଜରୁରୀ ଥିଲା ଯାହାକି ଅସମ୍ଭବ ଥିଲା । ସେମିଫାଇନାଲ ଆଶା ଧୂଳିସାତ୍ ହେବା ପରେ ପାକିସ୍ତାନ ମ୍ୟାଚ୍ ବି ଜିତିପାରିନଥିଲା । ଦଳ ଏହି ବିଶାଳ ବିଜୟଲକ୍ଷ୍ୟ ଜବାବରେ ୪୩.୩ ଓଭରରେ ୨୪୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।

ପାକିସ୍ତାନ ପକ୍ଷରୁ ସଲମାନ ଅଲି ଆଗା (୫୧ ରନ୍) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର୍ ୪୦ ରନ୍ ବି ଟପିନଥିଲେ । ଇଂଲଣ୍ଡ ପକ୍ଷରୁ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ଦିନିକିଆ ଖେଳୁଥିବା ଡେଭିଡ ୱିଲି ୩ଟି ୱିକେଟ୍ ନେଇଥିଲେ । ଏହାଛଡ଼ା ସେ ଏହି ଫର୍ମାଟରେ ୧୦୦ ଓ୍ବିକେଟ୍ ବି ପୂରଣ କରିଥିଲେ । ଆଦିଲ ରସିଦ, ମୋଇନ ଅଲି ଏବଂ ଗୁସ ଆଟକିନ୍ସନ୍ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ପାଇଥିଲେ। ନିଜ ଶେଷ ମ୍ୟାଚରେ ଓ୍ବିଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ପୂର୍ବରୁ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ୩୩୭ ରନ୍ କରିଥିଲା। ବେନ୍ ଷ୍ଟୋକ୍ସ ସର୍ବାଧିକ ୮୪ ରନ୍ କରିଥିବାବେଳେ ଓପନର୍ ଜନି ବେୟାରଷ୍ଟୋ ୫୯ ରନ୍ ଓ ଜୋ ରୁଟ୍ ୬୦ ରନ୍ କରିଥିଲେ। କ୍ୟାପଟେନ ଜୋସ୍ ବଟଲର ୨୭ ଏବଂ ହ୍ୟାରି ବ୍ରୁକ୍ ୩୦ ରନର ଯୋଗଦାନ କରିଥିଲେ।

ପାକିସ୍ତାନ ପାଇଁ ହରିସ ରାଉଫ ୩ଟି ୱିକେଟ୍ ନେଇଥିବାବେଳେ ଶାହିନ୍ ଶାହା ଆଫ୍ରିଦି ୨ଟି ଓ ଇଫତିଖର ଅହମ୍ମଦ ଗୋଟିଏ ସଫଳତା ପାଇଥିଲେ |

ଗତ ଥରର ବିଜେତା ଇଂଲଣ୍ଡ ଏଥର ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ଦଳ ୯ଟି ମ୍ୟାଚରୁ ମାତ୍ର ୩ଟି ବିଜୟ ସହ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ବଡ଼କଥା ହେଉଛି ଦଳ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିଛି। ଅନ୍ୟପକ୍ଷରେ ପାକିସ୍ତାନ ଚଳିତ ବିଶ୍ୱକପରେ ୯ଟି ମ୍ୟାଚରୁ ଚାରି ବିଜୟ ସହ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ।

ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବିଦା ହେବାପରେ ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ ପ୍ରବେଶ ନିଶ୍ଚିତ ହୋଇଛି । ନ୍ୟୁଜିଲ୍ୟାଣ୍ଡ କ୍ରମାଗତ ପଞ୍ଚମ ଥର ପାଇଁ ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିଛି ।

ବିଶ୍ବକପ୍ ସେମିଫାଇନାଲ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ନଭେମ୍ବର ୧୫ରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଟେବୁଲ୍ ଟପର ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ । ଦୁଇଦଳ ଲଗାତାର ଦ୍ବିତୀୟ ଥର ବିଶ୍ବକପ୍ ସେମିଫାଇନାଲରେ ଭେଟିବେ। ନଭେମ୍ବର ୧୬ରେ ଦ୍ବିତୀୟ ସେମିଫାଇନାଲରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ ।‌