ଦିନିକିଆରେ ଇଂଲଣ୍ଡର ବିଶ୍ୱ ରେକର୍ଡ ସ୍କୋର୍, ନେଦରଲାଣ୍ଡ୍‌ସ ବିପକ୍ଷରେ କଲା ୪୯୮ ରନ୍ | News Room Odisha

ଦିନିକିଆରେ ଇଂଲଣ୍ଡର ବିଶ୍ୱ ରେକର୍ଡ ସ୍କୋର୍, ନେଦରଲାଣ୍ଡ୍‌ସ ବିପକ୍ଷରେ କଲା ୪୯୮ ରନ୍

ଆମଷ୍ଟଲଭିନ: ଇଂଲଣ୍ଡ ଅନ୍ତର୍ଜାତୀୟ ଦିନିକିଆ ଇତିହାସରେ ସର୍ବୋଚ୍ଚ ସ୍କୋରର ପୁଣି ବିଶ୍ୱରେକର୍ଡ କରିଛି । ଶୁକ୍ରବାର ଏଠାରେ ନେଦରଲାଣ୍ଡ୍‌ସ ବିପକ୍ଷ ଦିନିକିଆ ମ୍ୟାଚରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୪୯୮ ରନର ସ୍କୋର କରିଛି । ଏଥିସହ ଇଂଲଣ୍ଡ ସର୍ବୋଚ୍ଚ ଦିନିକିଆ ସ୍କୋରରେ ନିଜ ରେକର୍ଡ ହିଁ ଭାଙ୍ଗିଛି ।

ଇଂଲଣ୍ଡର ଏହି ବିଶ୍ୱରେକର୍ଡ ସ୍କୋରରେ ତିନି ଜଣ ବ୍ୟାଟ୍ସମ୍ୟାନଙ୍କ ଶତକ ସାମିଲ ଥିଲା । ଦଳ ପକ୍ଷରୁ ଜୋସ୍ ବଟଲର, ଡେବିଡ୍ ମାଲାନ ଓ ଫିଲ ସାଲ୍ଟ ଶତକ ହାସଲ କରିଥିଲେ । ଲିଆମ୍ ଲିଭିଂଷ୍ଟୋନ ମଧ୍ୟ ଇଂଲଣ୍ଡ ପକ୍ଷରୁ ଦ୍ରୁତତମ ଦିନିକିଆ ଅର୍ଦ୍ଧଶତକ ମାରିଥିଲେ । ୪୯୮ ରନର ସ୍କୋର ସହ ଇଂଲଣ୍ଡ ଦିନିକିଆରେ ସର୍ବୋଚ୍ଚ ସ୍କୋରର ନିଜ ରେକର୍ଡ ହିଁ ଭାଙ୍ଗିଛି । ଏହା ପୂର୍ବରୁ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୪୮୧ ରନ୍ କରିଥିଲା ।

ଇଂଲଣ୍ଡ ପକ୍ଷରୁ ବଟଲର ମାତ୍ର ୭୦ ବଲରେ ୭ଟି ଚୌକା ଓ ୧୪ଟି ଛକା ସହ ଅପରାଜିତ ୧୬୨ ରନ୍ କରିଥିବା ବେଳେ ମାଲାନ ୧୦୯ ବଲରେ ୯ଟି ଚୌକା ଓ ୩ଟି ଛକା ସହାୟତାରେ ୧୨୫ ରନ୍ କରିଥିଲେ । ସେହିପରି ଫିଲ ସାଲ୍ଟ ମଧ୍ୟ ଶତକ ମାରିଥିଲେ । ସାଲ୍ଟ ୯୩ଟି ବଲରେ ୧୪ଟି ଚୌକା ଓ ୩ଟି ଛକା ସହ ୧୨୨ ରନ୍ କରିଥିଲେ । ଏହାପରେ ଲିଆମ୍ ଲିଭିଂଷ୍ଟୋନ୍ କେବଳ ୧୭ଟି ବଲରେ ଅର୍ଦ୍ଧଶତକ ହାସଲ କରି ଇଂଲଣ୍ଡ ପକ୍ଷରୁ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ସୃଷ୍ଟି କରିଥିଲେ । ଲିଭିଂଷ୍ଟୋନ୍ ୨୨ଟି ବଲରେ ୬ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ଅପରାଜିତ ୬୬ ରନ୍ କରିଥିଲେ ।

ଇଂଲଣ୍ଡ ନାଁରେ ଏବେ ଅନ୍ତର୍ଜାତୀୟ ପୁରୁଷ ଦିନିକିଆ ଇତିହାସରେ ତିନୋଟି ସର୍ବୋଚ୍ଚ ସ୍କୋର ରହିଛି । ନେଦରଲାଣ୍ଡ୍‌ସ (୪୯୮) ଏବଂ ଅଷ୍ଟ୍ରେଲିଆ (୪୮୧) ବିପକ୍ଷରେ ଦୁଇ ଦୁଇଥର ବିଶ୍ୱରେକର୍ଡ ସ୍କୋର ପରେ ଇଂଲଣ୍ଡ ୨୦୧୬ରେ ପାକିସ୍ତାନ ବିପକ୍ଷରେ ୪୪୪ ରନ୍ କରିଥିଲା ।