ଭାରତରେ କରୋନା ଯୋଗୁଁ ୪୭ ଲକ୍ଷରୁ ଅଧିକ ମୃତ୍ୟୁ, ଡବ୍ଲୁଏଚ୍ଓ ପରେ ଇପିଡବ୍ଲୁ ରିପୋର୍ଟରେ ଦାବି | News Room Odisha

ଭାରତରେ କରୋନା ଯୋଗୁଁ ୪୭ ଲକ୍ଷରୁ ଅଧିକ ମୃତ୍ୟୁ, ଡବ୍ଲୁଏଚ୍ଓ ପରେ ଇପିଡବ୍ଲୁ ରିପୋର୍ଟରେ ଦାବି

ନୂଆଦିଲ୍ଲୀ: କରୋନା ଯୋଗୁଁ ଭାରତରେ ପ୍ରକୃତରେ କେତେ ଲୋକଙ୍କ ମୃତ୍ୟୁ ହୋଇଥିଲା ସେନେଇ ପୁଣି ବିତର୍କ ଆରମ୍ଭ ହୋଇଛି । ସରକାରୀ ରେକର୍ଡରେ କୋଭିଡ୍ ମୃତ୍ୟୁ ପାଞ୍ଚ ଲକ୍ଷ ବୋଲି କୁହାଯାଇଛି | କିନ୍ତୁ ସରକାରଙ୍କ ଏହି ତଥ୍ୟ ଉପରେ ଅନେକ ସମୟରେ ପ୍ରଶ୍ନ ଉଠିଛି | ବିଶେଷଜ୍ଞ କହିଆସୁଛନ୍ତି ଯେ ଭାରତରେ କରୋନା ମୃତ୍ୟୁର ପ୍ରକୃତ ତଥ୍ୟ ପ୍ରକାଶ କରାଯାଇ ନାହିଁ। କିଛି ଦିନ ପୂର୍ବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଭାରତରେ କରୋନା ଯୋଗୁଁ ୪୭ ଲକ୍ଷ ମୃତ୍ୟୁ ହୋଇଥିବା ଦାବି କରିଥିଲା। ଏବେ ଇକୋନୋମିକ ଆଣ୍ଡ୍ ପଲିଟିକାଲ ଓ୍ବିକଲି (ଇପିଡବ୍ଲୁ) ମାଗାଜିନ୍ ମଧ୍ୟ ଭାରତରେ ସମାନ ସଂଖ୍ୟକ ମୃତ୍ୟୁ ଦାବି କରିଛି।

ଇପିଡବ୍ଲୁ ଆକଳନ ଅନୁଯାୟୀ ୨୦୨୦ ଏବଂ ୨୦୨୧ରେ ଭାରତରେ କରୋନା କାରଣରୁ ୪୭.୧ ଲକ୍ଷ ମୃତ୍ୟୁ ଘଟିଛି ଏବଂ ଭାରତୀୟ ବୀମା କମ୍ପାନୀଗୁଡିକର ତଥ୍ୟରୁ ଏହା ଜଣାପଡିଛି।

ଇନସୁରାନ୍ସ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ (ଆଇଆରଡିଏ), ସିଭିଲ ରେଜିଷ୍ଟ୍ରେସନ ସିଷ୍ଟମ (ସିଆରଏସ୍) ଏବଂ ଲାଇଫ ଇନସୁରାନ୍ସ କର୍ପୋରେସନ (ଏଲ୍ଆଇସି) ଦ୍ବାରା ଫୈସଲା ହୋଇଥିବା ଡେଥ୍ କ୍ଲେମ୍ ତଥ୍ୟକୁ ଆଧାର କରି ଇପିଡବ୍ଲୁ ଏହି ରିପୋର୍ଟ ପ୍ରଦାନ କରିଛି। ଏହି ପରିସଂଖ୍ୟାନକୁ ଆଧାର କରି, ଇପିଡବ୍ଲୁ ଦାବି କରିଛି ଯେ ୨୦୨୦ ରୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଭାରତରେ କରୋନା କାରଣରୁ ୪୭.୧ ଲକ୍ଷ ମୃତ୍ୟୁ ହୋଇଛି। ସରକାରୀ ତଥ୍ୟରେ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ କେବଳ ୪.୮୧ ଲକ୍ଷ ମୃତ୍ୟୁ ହୋଇଥିବା କୁହାଯାଇଥିଲା।