ପ୍ରଶ୍ନ ପାଇଁ ଲାଞ୍ଚ ବିବାଦ: ଆଜି ଏଥିକ୍ସ କମିଟି ବୈଠକ, ଦୁବେ ଓ ଦେହାଦ୍ରାଇଙ୍କ ରେକର୍ଡ ହେବ ବୟାନ | News Room Odisha

ପ୍ରଶ୍ନ ପାଇଁ ଲାଞ୍ଚ ବିବାଦ: ଆଜି ଏଥିକ୍ସ କମିଟି ବୈଠକ, ଦୁବେ ଓ ଦେହାଦ୍ରାଇଙ୍କ ରେକର୍ଡ ହେବ ବୟାନ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମଇତ୍ର ପ୍ରଶ୍ନ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗର ଶୁଣାଣି ଲାଗି ଲୋକସଭାର ଏଥିକ୍ସ (ସଦାଚାର) କମିଟିର ପ୍ରଥମ ବୈଠକ ଗୁରୁବାର ବସିବ। କମିଟି ଅଭିଯୋଗ ଆଣିଥିବା ଭାଜପା ଏମପି ନିଶିକାନ୍ତ ଦୁବେ ଏବଂ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ବୟାନ ରେକର୍ଡ କରିବ। ଦେହାଦ୍ରାଇ ସେୟାର କରିଥିବା ଦସ୍ତାବିଜଗୁଡ଼ିକର ତଥ୍ୟ ଭିତ୍ତିରେ ନିଶିକାନ୍ତ ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟକୁ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପତ୍ର ଲେଖିଥିଲେ । ବିର୍ଲା ଏହି ମାମଲାକୁ ଭାଜପା ଏମପି ବିନୋଦ କୁମାର ସୋନ୍‌ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିକଟକୁ ବିଚାର ପାଇଁ ପଠାଇ ଦେଇଛନ୍ତି।

ନିଶିକାନ୍ତଙ୍କ କହିବା ହେଲା ଆଇନଜୀବୀ ଦେହଦ୍ରାଇ ଏକଦା ମହୁଆଙ୍କ ଘନିଷ୍ଠ ଥିଲେ। ମୋଦି ଓ ଆଦାନୀ ଗ୍ରୁପ୍‌କୁ ଟାର୍ଗେଟ କରିବା ପାଇଁ ବ୍ୟବସାୟୀ ଦର୍ଶନ ହରାନନ୍ଦାନୀ ମହୁଆଙ୍କୁ ଟଙ୍କା ଦେଇଥ‌ିବା ନେଇ ଦେହଦ୍ରାଇଙ୍କ‌ ପାଖରେ ଦୃଢ଼ ପ୍ରମାଣ ରହିଛି। ବୁଧବାର ନିଶିକାନ୍ତ ଏକ୍ସ’ରେ ଲେଖୁଛନ୍ତି, ମହୁଆଙ୍କ ଏନ୍‌ଆଇସି ମେଲ୍ ଦୁବାଇରେ ଓପନ୍‌ କରାଯାଇଥିଲା କି ନାହିଁ ଏବଂ ତାଙ୍କ ବିଦେଶ ଗସ୍ତ ପାଇଁ କିଏ ଖର୍ଚ୍ଚ କରିଥିଲା ଟିଏମ୍‌ସି ଏମ୍ ତା’ର ଉତ୍ତର ଦିଅନ୍ତୁ।