ପୁଣି ଏକ ଟ୍ରେନ୍ ଲାଇନଚ୍ୟୁତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ | News Room Odisha

ପୁଣି ଏକ ଟ୍ରେନ୍ ଲାଇନଚ୍ୟୁତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପ୍ରୟାଗରାଜ: ଆନ୍ଧ୍ର ପ୍ରଦେଶରେ ଦୁଇ ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ଘଟଣାର ଦୁଇ ଦିନ ପରେ ପୁଣି ଏକ ଟ୍ରେନ୍ ଲାଇନ୍ ଚ୍ୟୁତ ହୋଇଛି । ଉତ୍ତର ପ୍ରଦେଶ ଗାଜିପୁର ସହରରୁ ଆନନ୍ଦ ବିହାର ଟର୍ମିନାଲ୍ (ଦିଲ୍ଲୀ) କୁ ଯାଉଥିବା ସୁହେଲଦେବ ସୁପରଫାଷ୍ଟ ଏକ୍ସପ୍ରେସ ପ୍ରୟାଗରାଜ ରେଳ ଜଙ୍କସନ ନିକଟରେ ଲାଇନ୍ ଚ୍ୟୁତ ହୋଇଯାଇଛି। ସୌଭାଗ୍ୟ ବଶତଃ ଏହି ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି ।

ଉତ୍ତର କେନ୍ଦ୍ରୀୟ ରେଳବାଇର ଲୋକସମ୍ପର୍କ ଅଧିକାରୀ ଅମିତ ମାଲବ୍ୟଙ୍କ ସୂଚନା ଅନୁସାରେ ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ସୁହଲଦେବ ଏକ୍ସପ୍ରେସ ପ୍ରୟାଗରାଜ ଜଙ୍କସନ ଛାଡ଼ିଥିଲା । ହେଲେ ପ୍ରୟାଗରାଜ ଆଉଟର ଷ୍ଟେସନ ନିକଟରେ ଟ୍ରେନର ଦୁଇଟି ବଗି ହଠାତ୍ ଲାଇନଚ୍ୟୁତ ହୋଇଯାଇଥିଲା। ଆଶ୍ବସ୍ତିକର ବିଷୟ ଯେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି । ଏହି ରୁଟରେ ମଧ୍ୟ ଟ୍ରେନ୍ ଚଳାଚଳ ସ୍ବାଭାବିକ ରହିଛି । ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ରବିବାର ଆନ୍ଧ୍ର ପ୍ରଦେଶରେ ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ଯୋଗୁଁ ୧୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଉକ୍ତ ଦୁର୍ଘଟଣାରେ ଅନେଅ ଲୋକ ଆହତ ହୋଇଥିଲେ ।