ବିଶ୍ୱକପ ୨୦୨୩: ଚେନ୍ନାଇ ଷ୍ଟାଡିୟମକୁ ତ୍ରିରଙ୍ଗା ନେବାକୁ ମନା କରାଯାଇଥିବା ଅଭିଯୋଗ | News Room Odisha

ବିଶ୍ୱକପ ୨୦୨୩: ଚେନ୍ନାଇ ଷ୍ଟାଡିୟମକୁ ତ୍ରିରଙ୍ଗା ନେବାକୁ ମନା କରାଯାଇଥିବା ଅଭିଯୋଗ

ଚେନ୍ନାଇ: ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ସୋମବାର ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବିଶ୍ବକପ ମ୍ୟାଚ୍ ବେଳେ ଜଣେ ପୋଲିସ୍ ଅଧିକାରୀ କ୍ରିକେଟ୍ ପ୍ରଶଂସକଙ୍କୁ ତ୍ରିରଙ୍ଗା ନେବାକୁ ବାରଣ କରିଥିବା ଅଭିଯୋଗ ହୋଇଛି।

ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ଭିତରକୁ କିଛି କ୍ରିକେଟ୍ ପ୍ରଶଂସକ ସେମାନଙ୍କ ସହିତ ଭାରତୀୟ ପତାକା ନେବାକୁ ଚାହିଁଥିଲେ । ହେଲେ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ୍ ସବ୍ ଇନ୍ସପେକ୍ଟର ସେମାନଙ୍କୁ ଅଟକାଇଥିଲେ । ଏହାପରେ ପୋଲିସ ତ୍ରିରଙ୍ଗା ନେବାକୁ ଅଟକାଉଛି ବୋଲି ଖବର ପ୍ରଚାରିତ ହୋଇଯାଇଥିଲା ।

ଯେତେବେଳେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲା ସେ କହିଥିଲେ ଯେ ଷ୍ଟାଡିୟମ ଭିତରକୁ ଭାରତୀୟ ପତାକା ନେବାକୁ କୌଣସି ପ୍ରତିବନ୍ଧକ ନାହିଁ । ସମ୍ପୃକ୍ତ ଅଧିକାରୀ ଜଣକ ବ୍ୟକ୍ତିଗତ ଭାବେ ଏଭଳି କରିଛନ୍ତି । ଏହି ମାମଲାରେ ବିଭାଗୀୟ ତଦନ୍ତ ଚାଲିଛି। ”

ଅଧିକାରୀ ଦାବି କରିଛନ୍ତି ଯେ ଏହା କେବଳ ଏକମାତ୍ର ଘଟଣା । ପୋଲିସ କାହାକୁ ବି ଷ୍ଟାଡିୟମ ଭିତରକୁ ଭାରତୀୟ ପତାକା ନେବାକୁ ଅଟକାଇ ନଥିଲା । ଷ୍ଟାଡିୟମରେ ଭାରତ, ପାକିସ୍ତାନ ଏବଂ ଆଫଗାନିସ୍ତାନର ପତାକାକୁ ଅନୁମତି ଦିଆଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି ।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସଭାପତି କେ ଆନ୍ନମଲାଇ ଷ୍ଟାଡିୟମକୁ ଭାରତୀୟ ପତାକା ନେବାକୁ ଅଟକାଇଥିବା ଅଭିଯୋଗ ନେଇ ପୋଲିସକୁ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, “ଷ୍ଟାଡିୟମ ବାହାରେ ଥିବା ପୋଲିସ ଆଜିର ମ୍ୟାଚରେ ପ୍ରଶଂସକମାନଙ୍କୁ ଭାରତୀୟ ପତାକା ନେବାକୁ ଅନୁମତି ଦେଇନଥିଲା। ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ)କୁ କିଏ ଏହି ଅଧିକାର ଦେଇଛି? ”

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ଆମର ଜାତୀୟ ପତାକାକୁ ଅପମାନିତ କରିଥିବାରୁ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛୁ ଏବଂ ଡିଏମକେ ସରକାର ରାଜ୍ୟବାସୀଙ୍କୁ କ୍ଷମା ମାଗିବା ଉଚିତ। ଯଦି ଏହା କରା ନ ଯାଏ ତେବେ ତ୍ରିରଙ୍ଗାର ପବିତ୍ରତାକୁ ଅପମାନିତ କରିଥିବାରୁ ତାମିଲନାଡୁ ବିଜେପି ଦୁର୍ନୀତିଗ୍ରସ୍ତ ଡିଏମକେ ସରକାର ବିରୋଧରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ। ”