ପଞ୍ଜାବରେ ଫିଲ୍ମ 'ସୂର୍ଯ୍ୟବଂଶୀ'କୁ ଚାଷୀଙ୍କ ବିରୋଧ, ଅକ୍ଷୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କଲେ | News Room Odisha

ପଞ୍ଜାବରେ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ଚାଷୀଙ୍କ ବିରୋଧ, ଅକ୍ଷୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କଲେ

ଅମୃତସର: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ପଞ୍ଜାବରେ ଆନ୍ଦୋଳନରତ ଚାଷୀ ବିରୋଧ କରିଛନ୍ତି । ଅମୃତସରର ମନୱାଲା ଟୋଲ ପ୍ଲାଜାରେ ଚାଷୀମାନେ ଅକ୍ଷୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ଅକ୍ଷୟ କୁମାର ‘ସୂର୍ଯ୍ୟବଂଶୀ’ ଫିଲ୍ମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି।

ଏହାଛଡ଼ା କୃଷକ ନେତାମାନେ ଅଭିଯୋଗ କରିଛନ୍ତି ଯେ, ଏହି ଫିଲ୍ମ ନିର୍ମାଣ କରିଥିବା ବ୍ୟାନରକୁ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ରହିଛି । ଆଜି ଫିଲ୍ମ ରିଲିଜ୍ ହେବା କ୍ଷଣି ମାନୱାଲା ଟୋଲ ପ୍ଲାଜାରେ ଚାଷୀମାନେ ବିରୋଧ ଆରମ୍ଭ କରିଥିଲେ। କୃଷକ ନେତା ଦିଲବାଗ ସିଂ ଅଭିଯୋଗ କରିଛନ୍ତି ଯେ ଯଦିଓ ଅକ୍ଷୟ କୁମାର ଚାଷୀଙ୍କ ସହ ଛିଡ଼ା ହେବା କଥା କହୁଛନ୍ତି, ତଥାପି ସେ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ଫିଲ୍ମ କରୁଛନ୍ତି।

ଫିଲ୍ମ ନିର୍ମାଣ କରୁଥିବା ବ୍ୟାନରକୁ ନେଇ କୃଷକ ନେତା ଦିଲବାଗ ସିଂ ମଧ୍ୟ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଏହି ଚଳଚ୍ଚିତ୍ରରେ ଅମ୍ବାନୀ ଏବଂ ଆଦାନୀ ଗ୍ରୁପ୍‌ର ଟଙ୍କା ବିନିଯୋଗ କରାଯାଇଛି। ଫିଲ୍ମରେ ସେହି ଚ୍ୟାନେଲଗୁଡିକର ସମର୍ଥନ ରହିଛି ଯାହା ପିଏମ ମୋଦିଙ୍କୁ ସମର୍ଥନ କରୁଛନ୍ତି |

ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବରେ କୃଷକ ଆନ୍ଦୋଳନ ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଘନିଷ୍ଠ ଥିବା ବଲିଉଡ ଅଭିନେତାମାନେ ଟାର୍ଗେଟରେ ଅଛନ୍ତି। କୃଷକମାନେ ଏହା ସ୍ପଷ୍ଟ କରିସାରିଛନ୍ତି ଯେ ଅକ୍ଷୟ କୁମାର କିମ୍ବା ସନ୍ନି ଦେଓଲଙ୍କ ଭଳି ଅଭିନେତାଙ୍କୁ ପଞ୍ଜାବରେ ସୁଟିଂ କରିବାକୁ ଦିଆଯିବ ନାହିଁ। ସାଂସଦ ହୋଇଥିଲେ ମଧ୍ୟ ସନ୍ନି ଦେଓଲ କୃଷକଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିନାହାଁନ୍ତି ବୋଲି କୃଷକମାନେ ଅଭିଯୋଗ କରିଛନ୍ତି।