ରିଲିଫ୍ ପ୍ୟାକେଜ୍ ଦାବିରେ ଦିଲ୍ଲୀରେ ପୁଣି ଚାଷୀଙ୍କ ବିକ୍ଷୋଭ | News Room Odisha

ରିଲିଫ୍ ପ୍ୟାକେଜ୍ ଦାବିରେ ଦିଲ୍ଲୀରେ ପୁଣି ଚାଷୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ରିଲିଫ୍ ପ୍ୟାକେଜ୍ ଦାବିରେ ଜାତୀୟ ରାଜଧାନୀରେ ପୁଣି ଚାଷୀଙ୍କ ମେଳି । ଏଥର ଆରଏସ୍ଏସ୍ ସମର୍ଥିତ ଭାରତୀୟ କିଷାନ ସଂଘ ନେତୃତ୍ୱରେ ରାମଲୀଲା ମଇଦାନରେ ୫୫,୦୦୦ ରୁ ଅଧିକ ଚାଷୀ ଏକାଠି ହୋଇଛନ୍ତି । ମୁଖ୍ୟତଃ ଦୁଇଟି ଦାବି ନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଦାବି ଗୁଡିକ ହେଲା କୃଷି ଇନପୁଟ ଉପରେ ଜିଏସଟି ହଟାଇବା ଏବଂ କିସାନ ସାମ୍ମାନ ନିଧି ରାଶି ବୃଦ୍ଧି କରିବା |

ଭାରତୀୟ କିଷାନ ସଂଘ (ବିକେଏସ୍) ଏକ ବିବୃତ୍ତିରେ କହିଛି, “ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ ଇନପୁଟ୍ କ୍ରେଡିଟ୍ ପାଇ ନ ଥିବାରୁ କୃଷି ଇନପୁଟ୍ ଉପରେ ଜିଏସଟି ରଦ୍ଦ କରିବାକୁ ଦାବି କରୁଛନ୍ତି। ଏହା ସହିତ କିଷାନ ସାମ୍ମାନ ନିଧି ରାଶି କୃଷି ଇନପୁଟରେ ମୁଦ୍ରାସ୍ଫୀତି ଅନୁପାତରେ ବୃଦ୍ଧି କରିବାକୁ ଦାବି ହୋଇଛି |

କୃଷକଙ୍କ ପ୍ରଦର୍ଶନକୁ ବିରୋଧୀ ଦଳଙ୍କ ମଧ୍ୟ ସମର୍ଥନ ରହିଥିବା ଜଣାପଡିଛି। କଂଗ୍ରେସର ସାଧାରଣ ସମ୍ପାଦକ ତଥା ସାଂସଦ କେସି ବେଣୁଗୋପାଲ କହିଛନ୍ତି ଯେ ସରକାର ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ ନଚେତ୍ ଆଉ ଏକ ଚାଷୀ ଆନ୍ଦୋଳନକୁ ନିମନ୍ତ୍ରଣ କରିବେ ।

ବିକେଏସର ମୁଖ୍ୟ ରାଘବେନ୍ଦ୍ର ପଟେଲ ଗଣମାଧ୍ୟମକୁ କହିଛନ୍ତି, “ଗତ ୪ ମାସ ମଧ୍ୟରେ ପ୍ରାୟ ୨୦,୦୦୦ କିଲୋମିଟର ପଦଯାତ୍ରା, ୧୩,୦୦୦ କିଲୋମିଟର ସାଇକେଲ ରାଲି ଏବଂ ୧୮,୦୦୦ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଦକ୍ଷିଣ ଭାରତର ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶରେ ବଡ଼ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବି.କେ.ଏସ୍ ଦ୍ୱାରା ସାରା ଦେଶରେ ରାଲି ପରେ ଆଜି ଦିଲ୍ଲୀର ରାମଲୀଲା ମୈଦାନରେ ଏହି ମେଗା ରାଲିର ଆୟୋଜନ କରାଯାଇଛି।