ପଞ୍ଚମ ଦିନରେ କୃଷକ ଆନ୍ଦୋଳନ, ଆଜି ବିଜେପି ନେତାଙ୍କ ଘର ଆଗରେ ଧାରଣା ଦେବେ ଚାଷୀ | News Room Odisha

ପଞ୍ଚମ ଦିନରେ କୃଷକ ଆନ୍ଦୋଳନ, ଆଜି ବିଜେପି ନେତାଙ୍କ ଘର ଆଗରେ ଧାରଣା ଦେବେ ଚାଷୀ

ଚଣ୍ଡିଗଡ଼: ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ବିଭିନ୍ନ ଦାବି ନେଇ କୃଷକଙ୍କ ଆନ୍ଦୋଳନ ଶନିବାର ପଞ୍ଚମ ଦିନରେ ପହଞ୍ଚିଛି । ଭାରତ କିସାନ ୟୁନିଅନ (ଏକତା ଉଗରାହାଁ) ଆଜି ପଞ୍ଜାବର ତିନି ବରିଷ୍ଠ ବିଜେପି ନେତାଙ୍କ ବାସଭବନ ବାହାରେ ଧାରଣା ଦେବ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜ୍ୟ ବିଜେପି ମୁଖ୍ୟ ସୁନୀଲ ଜାଖର ଏବଂ ବରିଷ୍ଠ ନେତା କେୱାଲ ସିଂ ଧିଲୋଁଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ କରିବେ କୃଷକ । ଏହାଛଡ଼ା କୃଷକଙ୍କ ‘ଦିଲ୍ଲୀ ଚଲୋ’ ଡାକରାକୁ ସମର୍ଥନ କରି ଏହି ୟୁନିଅନ୍ ରାଜ୍ୟର ଟୋଲ୍ ପ୍ଲାଜା ଗୁଡ଼ିକରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବ ।

ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣ-ରାଜନୈତିକ) ଏବଂ କିସାନ ମଜଦୂର ମୋର୍ଚ୍ଚାର ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଅଧୀନରେ ବିକ୍ଷୋଭକାରୀ କୃଷକମାନେ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ର ଆଇନଗତ ଗ୍ୟାରେଣ୍ଟି ସମେତ ସେମାନଙ୍କ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ ଓ ହରିୟାଣାର ଦୁଇଟି ସୀମାରେ ଗତ ପାଞ୍ଚ ଦିନ ଧରି ଡେରା ପକାଇଛନ୍ତି ।

ପଞ୍ଜାବର କୃଷକମାନେ ମଙ୍ଗଳବାର ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ହେଲେ ହରିୟାଣା-ପଞ୍ଜାବ ସୀମାର ଶମ୍ଭୁ ଏବଂ ଖାନୌରି ଠାରେ ସୁରକ୍ଷା ବାହିନୀ ସେମାନଙ୍କୁ ଅଟକାଇଥିଲେ। ସେବେଠାରୁ ବିକ୍ଷୋଭକାରୀମାନେ ଏହି ଦୁଇଟି ସୀମାରେ ଅଟକି ରହିଛନ୍ତି ।

ହରିୟାଣା ସ୍ଥିତ ଗୁରୁନାମ ସିଂ ଚଢୁନିଙ୍କ ନେତୃତ୍ୱାଧୀନ ଭାରତ କିସାନ ୟୁନିଅନ (ଚଢୁନି) ଶନିବାର ଆନ୍ଦୋଳନକାରୀ ଚାଷୀଙ୍କ ସହ ଟ୍ରାକ୍ଟର ରାଲି ବାହାର କରିବ।