ରାମ କେବଳ ହିନ୍ଦୁମାନଙ୍କର ଭଗବାନ ନୁହଁନ୍ତି: ଫାରୁକ୍ ଅବଦୁଲ୍ଲା | News Room Odisha

ରାମ କେବଳ ହିନ୍ଦୁମାନଙ୍କର ଭଗବାନ ନୁହଁନ୍ତି: ଫାରୁକ୍ ଅବଦୁଲ୍ଲା

ପୁଞ୍ଛ: ନ୍ୟାସନାଲ କନଫରେନ୍ସର ସଭାପତି ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସହ ଜଡ଼ିତ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ ଭାରତରେ ହ୍ରାସ ପାଉଥିବା ଭାଇଚାରାକୁ ମଜଭୁତ୍ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତିି। ଫାରୁକ୍ ଅବଦୁଲ୍ଲା କହିଛନ୍ତି, “ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ମୁଁ ମନ୍ଦିର ପାଇଁ ଉଦ୍ୟମ କରିଥିବା ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଉଛି। ମନ୍ଦିର ବର୍ତ୍ତମାନ ପ୍ରସ୍ତୁତ।” ଅବଦୁଲ୍ଲା କହିଛନ୍ତି, ଭଗବାନ ରାମ କେବଳ ହିନ୍ଦୁଙ୍କର ନୁହଁନ୍ତି, ସେ ବିଶ୍ବର ସବୁ ଲୋକଙ୍କର ଭଗବାନ। ଏହା ବହିରେ ଲେଖା ହୋଇଛି । ”

ଅବଦୁଲ୍ଲା ଆହୁରି କହିଛନ୍ତି, ଭଗବାନ ରାମ ଭାଇଚାରା, ପ୍ରେମ, ଏକତା ଏବଂ ପରସ୍ପରକୁ ସାହାଯ୍ୟ କରିବା ପାଇଁ ବାର୍ତ୍ତା ଦେଇଛନ୍ତି । ସେ କେଉଁ ଧର୍ମ କିମ୍ବା ଜାତିର ହୁଅନ୍ତୁ ନା କାହିଁକି, ପତିତମାନଙ୍କୁ ଉଦ୍ଧାର କରିବାକୁ ସେ ସର୍ବଦା କହିଛନ୍ତି। ସେ ଏକ ସାର୍ବଭୌମିକ ବାର୍ତ୍ତା ଦେଇଛନ୍ତି। ଆଜି ଯେତେବେଳେ ମନ୍ଦିର ଉଦଘାଟନ ହେବାକୁ ଯାଉଛି, ମୁଁ ଦେଶର ଲୋକଙ୍କୁ କହିବାକୁ ଚାହୁଁଛି ଯେ ଆମ ଦେଶରେ ହ୍ରାସ ପାଉଥିବା ଭାଇଚାରାକୁ ପୁନଃ ଉଜ୍ଜୀବିତ କରନ୍ତୁ । ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ସେମାନେ ଭାଇଚାରା ବଜାୟ ରଖନ୍ତୁ।”

ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ । ଏହି ଉତ୍ସବ ପାଇଁ ରାମମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ସମ୍ପ୍ରଦାୟର ୪,୦୦୦ ସାଧୁଙ୍କୁ ନିମନ୍ତ୍ରଣ କରାଯାଇଛି।