ହରିୟାଣା ପରେ ଝାଡ଼ଖଣ୍ଡ: ଚେକିଂ ବେଳେ ମହିଳା ଇନ୍ସପେକ୍ଟରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା | News Room Odisha

ହରିୟାଣା ପରେ ଝାଡ଼ଖଣ୍ଡ: ଚେକିଂ ବେଳେ ମହିଳା ଇନ୍ସପେକ୍ଟରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା

ରାଞ୍ଚି: ହରିୟାଣାରେ ଜଣେ ଡିଏସପିଙ୍କୁ ଡମ୍ପର ଚଢ଼ାଇ ହତ୍ୟାର ଦିନକ ପରେ ଝାଡଖଣ୍ଡରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ଝାଡ଼ଖଣ୍ଡ ରାଞ୍ଚି ଜିଲ୍ଲାରେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ଚେକିଂ ବେଳେ ମହିଳା ଇନ୍ସପେକ୍ଟର ସାନ୍ଧ୍ୟା ଟପ୍ନୋଙ୍କୁ ପିକଅପ୍ ଭ୍ୟାନ୍ ମଡାଇ ଚାଲିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଜଘନ୍ୟକାଣ୍ଡ ଘଟାଇବା ପରେ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଥିଲା। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ଦାବି କରିଛି।

ଏହି ମାମଲା ରାଞ୍ଚି ଜିଲ୍ଲାର ତୁପୁଦାନା ଅଞ୍ଚଳରେ ଘଟିଛି। ୨୦୧୮ ବ୍ୟାଚ୍ ର ପୋଲିସ୍ ମହିଳା ସବ୍ ଇନ୍ସପେକ୍ଟର ସାନ୍ଧ୍ୟା ଟପ୍ନୋ ବୁଧବାର ଭୋର୍ ୩ ଟାରେ ଗାଡି ଯାଞ୍ଚ କରୁଥିଲେ | ଏହି ସମୟରେ ଏକ ପିକଅପ୍ ଭ୍ୟାନକୁ ଅଟକାଇବାକୁ ସେ ସଙ୍କେତ ଦେଇଥିଲେ। କିନ୍ତୁ ଡ୍ରାଇଭର ଗାଡିର ବେଗ ବଢ଼ାଇ ମହିଳା ଇନ୍ସପେକ୍ଟରଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ସବ୍ ଇନ୍ସପେକ୍ଟର ସନ୍ଧ୍ୟା ଟପ୍ନୋଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଥାନାଧିକାରୀଙ୍କ ସହ ବହୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଇନ୍ସପେକ୍ଟରଙ୍କ ମୃତଦେହ ଉଦ୍ଧାର କରିଥିଲେ। ଆଖପାଖ ଅଞ୍ଚଳରେ ଲାଗିଥବା ସିସିଟିଭି ଫୁଟେଜ ସ୍କାନ୍ କରାଯାଇଥିଲା। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ ଓ ଗାଡ଼ି ଜବତ କରାଯାଇଥିବା ପୋଲିସ କହିଛି ।

ହରିୟାଣାରେ ମଙ୍ଗଳବାର ଜଣେ ଡିଏସପି ଚଢ଼ାଉ ପାଇଁ ଯାଇଥିବା ବେଳେ ତାଙ୍କୁ ଖଣି ମାଫିଆ ଡମ୍ପର ଚଢ଼ାଇ ହତ୍ୟା କରିଥିଲେ । ହରିୟାଣା ନୁହ ଜିଲ୍ଲାରେ ବେଆଇନ ପଥର ଖନନ ଘଟଣାର ଯାଞ୍ଚ୍ କରିବାକୁ ଯାଇଥିବା ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟ (ଡିଏସପି) ସୁରେନ୍ଦ୍ର ସିଂଙ୍କ ଉପରେ ଡମ୍ପର ଚଢାଇ ଦିଆଯାଇଥିଲା ।