ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେଶନକୁ ସସପେଣ୍ଡ୍ କଲା ଫିଫା, ଅଣ୍ଡର-୧୭ ମହିଳା ବିଶ୍ୱକପ୍ ନେଇ ଅନିଶ୍ଚିତତା | News Room Odisha

ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେଶନକୁ ସସପେଣ୍ଡ୍ କଲା ଫିଫା, ଅଣ୍ଡର-୧୭ ମହିଳା ବିଶ୍ୱକପ୍ ନେଇ ଅନିଶ୍ଚିତତା

ପ୍ୟାରିସ: ଭାରତୀୟ ଫୁଟବଲ ଓ ପ୍ରଶଂସକଙ୍କୁ ଲାଗିଛି ଝଟକା । ତୃତୀୟ ପକ୍ଷର ହସ୍ତକ୍ଷେପ ଦର୍ଶାଇ ଫିଫା ତତ୍କାଳ ପ୍ରଭାବ ସହିତ ଅଲ ଇଣ୍ଡିଆ ଫୁଟବଲ୍ ଫେଡେରେଶନ (ଏଆଇଏଫ୍ଏଫ୍)କୁ ସସପେଣ୍ଡ କରିଛି । ଫିଫା କହିଛି ଯେ ନିୟମ ଉଲ୍ଲଂଘନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଫିଫାର ଏପରି ନିଷ୍ପତ୍ତି ପରେ ଭାରତରେ ଚଳିତ ବର୍ଷ ଅକ୍ଟୋବର ୧୧ରୁ ହେବାକୁ ଥିବା ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପ ନେଇ ଅନିଶ୍ଚିତତା ଦେଖାଦେଇଛି ।

ଅଗଷ୍ଟ ଆରମ୍ଭରେ ଫିଫା ତୃତୀୟ ପକ୍ଷର ହସ୍ତକ୍ଷେପକୁ ନେଇ ଏଆଇଏଫ୍ଏଫ୍ କୁ ନିଲମ୍ବନ କରିବାକୁ ଚେତାବନୀ ଦେଇଥିଲା |

ଅଲ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (ଏଆଇଏଫ୍ଏଫ୍)ରେ ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ଯୋଗୁଁ ଏହାକୁ ନିଲମ୍ବିତ କରିବାକୁ ଫିଫା ପରିଷଦ ବ୍ୟୁରୋ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ନିଷ୍ପତ୍ତି ନେଇଛି ବୋଲି ଫିଫା ଏକ ବିବୃତ୍ତିରେ କହିଛି ।

ଫିଫା କହିଛି ଯେ ଏଆଇଏଫ୍ଏଫ୍ କାର୍ଯ୍ୟନିର୍ବାହୀ କମିଟିର ପରିଚାଳନା ପାଇଁ ପ୍ରଶାସକ କମିଟି ଗଠନ କରିବା ନିଷ୍ପତ୍ତିକୁ ନିରସ୍ତ୍ର କରାଯିବା ସହ ଏଆଇଏଫ୍ଏଫ୍ ପ୍ରଶାସନ ପୁଣି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ପରେ ହିଁ ଭାରତୀୟ ଫୁଟବଲ ସଂଘ ଉପରୁ ନିଲମ୍ବନ ହଟାଯିବ ।

ସୂଚନାଯୋଗ୍ୟ ଯେ, ଏଆଇଏଫ୍ଏଫର ତତ୍କାଳୀନ ସଭାପତି ପ୍ରଫୁଲ୍ଲ ପଟେଲ ଧାର୍ଯ୍ୟ କାର୍ଯ୍ୟକାଳରୁ ଅଧିକ ସମୟ ରହିବାକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଥିଲେ । ସାନି ନିର୍ବାଚନ ଯାଏଁ ଏଆଇଏଫ୍ଏଫ୍ କାର୍ଯ୍ୟନିର୍ବାହୀ ପରିଷଦକୁ ନିଲମ୍ବିତ କରି ସୁପ୍ରିମକୋର୍ଟ ଏହି ସଂସ୍ଥାର ପରିଚାଳନା ପାଇଁ ଏକ ପ୍ରଶାସକ କମିଟି ନିଯୁକ୍ତ କରିଥିଲେ । ଏଥିରେ ଫିଫା ଆପତ୍ତି ଉଠାଇଥିଲା ।

ଭାରତରେ ଅଣ୍ଡର-୧୭ ମହିଳା ବିଶ୍ୱକପ ଚଳିତ ବର୍ଷ ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ହେଲେ ଏଆଇଏଫ୍ଏଫକୁ ଫିଫା ନିଲମ୍ବିତ କରିବା ପରେ ଏହି ମେଗା ଇଭେଣ୍ଟର ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।