ଆଜିଠାରୁ କାତାରରେ ଫିଫା ବିଶ୍ବକପ୍, ଟ୍ରଫି ପାଇଁ ଲଢ଼ିବେ ୩୨ ଦଳ | News Room Odisha

ଆଜିଠାରୁ କାତାରରେ ଫିଫା ବିଶ୍ବକପ୍, ଟ୍ରଫି ପାଇଁ ଲଢ଼ିବେ ୩୨ ଦଳ

ଦୋହା: ଫୁଟବଲ ମହାକୁମ୍ଭ ଫିଫା ବିଶ୍ଵକପର ୨୨ତମ ସଂସ୍କରଣ ରବିବାର ଠାରୁ କାତାରରେ ଆରମ୍ଭ ହେଉଛି । ଏଥିପାଇଁ କାତାର ସହ ସମଗ୍ର ବିଶ୍ୱ ଏବେ ଫୁଟବଲ୍ ଫିଭରରେ ଆକ୍ରାନ୍ତ ହୋଇଯାଇଛି । ଫିଫା ବିଶ୍ବକପ୍ ଇତିହାସରେ ପ୍ରଥମ ଥର ପାଇଁ ଏହି ମେଗା ଇଭେଣ୍ଟ୍ ଏକ ଆରବ ଦେଶ ଓ ଦ୍ବିତୀୟ ଥର ଏସିଆ ମହାଦେଶରେ ଆୟୋଜିତ ହେଉଛି । ଡିସେମ୍ବର ୧୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୩୨ ଦଳ ଟ୍ରଫି ପାଇଁ ପ୍ରତିଦ୍ବନ୍ଦିତା କରିବେ | ଏହି ୩୨ଟି ଦଳଙ୍କୁ ୮ଟି ଗ୍ରୁପରେ ବିଭକ୍ତ କରାଯାଇଛି ।

ଲିଗ୍ ପର୍ଯ୍ୟାୟ ପରେ ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳ ନକ୍‌ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। କାତାର ଓ ଇକ୍ଵେଡର ମଧ୍ୟରେ ଦୋହାର ଅଲ୍ ବାୟତ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ ।

୨୦୧୮ ସଂସ୍କରଣରେ ବିଶ୍ବକପ୍ ଖେଳିନଥିବା ନେଦରଲାଣ୍ଡ୍, ଇକ୍ଵେଡର, ଘାନା, କାମେରୁନ୍ ଓ ଆମେରିକା ଏଥର ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଚଳିତ ବର୍ଷ କାନାଡା ୩୬ ବର୍ଷ ପରେ ବିଶ୍ଵକପ୍ ଖେଳିବାକୁ ଯାଉଛି। ଶେଷ ଥର ପାଇଁ ଏହି ଦଳ ୧୯୮୬ରେ ଅଂଶଗ୍ରହଣ କରିଥିଲା। ସେହିପରି ୟୁରୋପିଆନ୍ ଦଳ ୱେଲ୍ସ ୬୪ ବର୍ଷ ପରେ ବିଶ୍ବକପ୍ ଖେଳିବ। ଆୟୋଜକ ଭାବେ କାତାର ଚଳିତ ବର୍ଷ ବିଶ୍ବକପ୍‌ରେ ପଦାର୍ପଣ କରିବ । ଏଥି ପୂର୍ବରୁ ୧୯୩୪ରେ ଇଟାଲି ପ୍ରଥମ ଥର ଆୟୋଜକ ହେବା ସହ ପଦାର୍ପଣ ଦଳ ଭାବେ ବିଶ୍ବକପରେ ଖେଳିଥିଲା ।

ଯୋଗ୍ୟତା ପର୍ଯ୍ୟାୟରୁ ପରାସ୍ତ ହେବାରୁ ପ୍ରଥମ ଥର ଏକ ବିଜେତା ଦଳ ବିଶ୍ବକପ୍ ଖେଳିବାକୁ ଅଯୋଗ୍ୟ ଘୋଷିତ ଋଷିଆକୁ ମଧ୍ୟ ଅଯୋଗ୍ୟ ଘୋଷିତ କରାଯାଇଛି।

ପୂର୍ବତନ କୋପା ଆମେରିକା ବିଜେତା ଚିଲି ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଗତ ସଂସ୍କରଣରେ ଖେଳିଥିବା ଇଜିପ୍ଟ, ପାନାମା, କଲମ୍ବିଆ, ପେରୁ, ଆଇସ୍‌ଲାଣ୍ଡ ଓ ସ୍ଵିଡେନ୍‌ ମଧ୍ୟ ଏଥର ଖେଳିବାକୁ ଯୋଗ୍ୟ ହୋଇପାରିନାହାନ୍ତି। ଘାନା ସବୁଠୁ କମ୍ ମାନ୍ୟତାପ୍ରାପ୍ତ (୬୧) ଦଳ ଭାବେ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

କାତାରର ୮ଟି ଷ୍ଟାଡିୟମରେ ବିଶ୍ବକପ୍ ୨୦୨୨ର ମ୍ୟାଚ୍ ଗୁଡ଼ିକ ଖେଳାଯିବ । ଏହି ୮ଟି ଷ୍ଟାଡିୟମ ହେଉଛି ଲୁସେଲ୍ ଆଇକନିକ୍ ଷ୍ଟାଡିୟମ୍, ଅଲ୍ ବାତ୍ ଷ୍ଟାଡିୟମ୍, ଷ୍ଟାଡିୟମ୍ ୯୭୪, ଅଲ୍ ଥୁମାମା ଷ୍ଟାଡିୟମ୍, ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍, ଏଜୁକେସନ୍ ସିଟି ଷ୍ଟାଡିୟମ୍ ଅହମ୍ମଦ ବିନ୍ ଅଲୀ ଷ୍ଟାଡିୟମ୍, ଅଲ୍ ଜାନୁବ୍ ଷ୍ଟାଡିୟମ୍‌ । ବିଶ୍ଵକପର ଏହି ସଂସ୍କରଣ ପାଇଁ ‘ଲାଇବ୍’କୁ ମାସ୍କଟ୍ ରୂପେ ବଛାଯାଇଛି। ଏହି ଆରବୀୟ ଭାଷାର ଅର୍ଥ ହେଉଛି ‘ସବୁଠୁ ଦକ୍ଷ ଖେଳାଳି’। ସେହିପରି ଅଫିସିଆଲ୍ ମ୍ୟାଚ୍ ବଲ୍‌ର ନାମ ରଖାଯାଇଛି ‘ଅଲ୍ ରିହଲା’। ଅରବିକ୍ ଭାଷାରେ ଏହାର ଅର୍ଥ ହେଉଛି ‘ଦ ଜର୍ଣ୍ଣି’|