କର୍ଣ୍ଣାଟକରେ ବିଜେପିକୁ ପୁଣି ଏକ ଝଟକା, ଦଳ ଛାଡ଼ିଲେ 'ଫାଇଟର ରବି' | News Room Odisha

କର୍ଣ୍ଣାଟକରେ ବିଜେପିକୁ ପୁଣି ଏକ ଝଟକା, ଦଳ ଛାଡ଼ିଲେ ‘ଫାଇଟର ରବି’

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପିରୁ ନେତାଙ୍କ ଇସ୍ତଫା ଧାରା ଜାରି ରହିଛି । ଟିକେଟକୁ ନେଇ ତୀବ୍ର ହେବାରେ ଲାଗିଛି ଶାସକ ଦଳରେ ବିଦ୍ରୋହ । ଏବେ ବିଏମ୍ ମଲ୍ଲିକାର୍ଜୁନ ଓରଫ୍ ‘ଫାଇଟର ରବି’ ବିଜେପିକୁ ଅଲବିଦା କହିଛନ୍ତି । ଫାଇଟର ରବି ଶନିବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ଏହା ପୂର୍ବରୁ ଶୁକ୍ରବାର କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଙ୍ଗପ୍ପା ସାବଦି ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ସେହିପରି ବିଧାୟକ ଏମପି କୁମାରସ୍ୱାମୀ ମଧ୍ୟ ବିଜେପିରୁ ଇସ୍ତଫା ଦେଇଥିଲେ ।

ଟିକେଟ୍ ପାଇନଥିବା ଆଉ ବିଜେପିର ଆଉ ଜଣେ ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ଦଳୀୟ ହାଇକମାଣ୍ଡଙ୍କୁ ଅଲ୍ଟିମେଟମ୍ ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ସେ ଦଳକୁ ସମୟ ଦେଇଛନ୍ତି । ସେ ଆସନ୍ତାକାଲି ତାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶେଟ୍ଟାର ।

ବିଧାନସଭା ନିର୍ବାଚନ ପାଇ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ଦୁଇଟି ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଦଳ ଏପର୍ଯ୍ୟନ୍ତ ୨୧୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ମେ ୧୦ରେ ଗୋଟିଏ ପର୍ଯ୍ୟାୟରେ ହେବ । ମେ ୧୩ରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ବର୍ତ୍ତମାନ ଶାସକ ବିଜେପିର ୧୧୯ ଜଣ ବିଧାୟକ ଥିବାବେଳେ କଂଗ୍ରେସର ୭୫ ଏବଂ ଜେଡି (ଏସ୍)ର ୨୮ ସଦସ୍ୟ ଅଛନ୍ତି ।