କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଫିଲ୍ମ ନିର୍ମାତା ଇମତିଆଜ ଖତ୍ରିଙ୍କ ଘର ଓ ଅଫିସରେ ଏନସିବିର ଚଢ଼ାଉ | News Room Odisha

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଫିଲ୍ମ ନିର୍ମାତା ଇମତିଆଜ ଖତ୍ରିଙ୍କ ଘର ଓ ଅଫିସରେ ଏନସିବିର ଚଢ଼ାଉ

ମୁମ୍ବାଇ: ମୁମ୍ବାଇର କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଚଢ଼ାଉ ଜାରି ରଖିଛି। ଶନିବାର ଏନସିବି ଫିଲ୍ମ ନିର୍ମାତା ଇମତିଆଜ ଖତ୍ରୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ କରିଥିଲା। ଏହି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏବଂ ବହୁ ହାଇ ପ୍ରୋଫାଇଲ୍ ବ୍ୟକ୍ତିତ୍ୱ ଗିରଫ ହୋଇସାରିଛନ୍ତି। ଆର୍ୟନ ଖାନଙ୍କ ସମେତ ଗିରଫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନକୁ ଏନସିବି ବିରୋଧ କରିଛି। ଏହି କାରଣରୁ କୋର୍ଟ ଆର୍ୟନ ଖାନ୍ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ଶୁକ୍ରବାର ଜାମିନ ଆବେଦନ ନାମଞ୍ଜୁର କରିଦେଇଥିଲେ । ଜାମିନ ପାଇଁ ଆର୍ଯ୍ୟନ୍ ଖାନ୍ ଆଜି ସେସନ୍ସ କୋର୍ଟରେ ଆବେଦନ କରିପାରନ୍ତି ।

ଇମତିଆଜ ଖତ୍ରୀଙ୍କ ଘରେ ବହୁ ଘଣ୍ଟା ଧରି ଏନସିବି ଟିମ୍ ଛାନଭିନ୍ ଜାରି ରଖିଥିବା ସୂଚନା ମିଳିଛି । ତେବେ ଏହି ଚଢ଼ାଉରେ କ’ଣ ଜବତ ହୋଇଛି ଓ ଡ୍ରଗ୍ସ ପାର୍ଟି ସହ ଏହାର ସମ୍ପର୍କ ଅଛି କି ନାହିଁ ସେ ସମ୍ପର୍କରେ ଏନସିବି ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ।

ସୂଚନା ଅନୁଯାୟୀ, ଏନସିବି ଟିମ୍ ଫିଲ୍ମ ନିର୍ମାତା ତଥା ବ୍ୟବସାୟୀ ଇମତିଆଜ ଖତ୍ରୀଙ୍କ ଘରେ ଆଜି ଭୋର୍ ରେ ପହଂଚିଥିଲେ। କ୍ରୁଜ୍ ଜାହାଜ ଡ୍ରଗ୍ସ ମାମଲାରେ ତାଙ୍କ ନାମ ଉଠିବା ପରେ ଏନସିବି ଖତ୍ରୀଙ୍କ ବାନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା । ଡ୍ରଗ୍ସ ପାର୍ଟି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଅଖିତ କୁମାରଙ୍କୁ ପଚରାଉଚରା ବେଳେ ଇମତିଆଜ ଖଟ୍ରିଙ୍କ ନାମ ସାମ୍ନାକୁ ଆସିଥିଲା।