ଜେନେରାଲ ରାୱତଙ୍କ ପ୍ରତି ଅସମ୍ମାନ ସହିନପାରି ଇସଲାମ୍ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କଲେ ଫିଲ୍ମ ନିର୍ମାତା ଅଲି ଆକବର | News Room Odisha

ଜେନେରାଲ ରାୱତଙ୍କ ପ୍ରତି ଅସମ୍ମାନ ସହିନପାରି ଇସଲାମ୍ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କଲେ ଫିଲ୍ମ ନିର୍ମାତା ଅଲି ଆକବର

ନୂଆଦିଲ୍ଲୀ: କେରଳର ଚଳଚ୍ଚିତ୍ର ନିର୍ମାତା ଅଲି ଆକବର ଇସଲାମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ନୂଆ ନାମ ରାମ ସିଂଘନ ହେବ | ୫୯ ବର୍ଷୟ ଆକବର କହିଛନ୍ତି ଯେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତଙ୍କ ମୃତ୍ୟୁରେ ତାଙ୍କ ଧର୍ମର କିଛି ଲୋକଙ୍କ ପ୍ରତିକ୍ରିୟାରେ ସେ ମର୍ମାହତ ହୋଇଛନ୍ତି । ଏଥିପାଇଁ ସେ ଇସଲାମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଜେନେରାଲ ରାୱତଙ୍କ ମୃତ୍ୟୁ ଖବର ଉପରେ କିଛି ଲୋକ ସୋସିଆଲ ମିଡିଆରେ ସ୍ମାଇଲ୍ ଇମୋଜି ପୋଷ୍ଟ କରିଥିଲେ। ଏହା ତାଙ୍କୁ ଆଘାତ ଦେଇଛି ବୋଲି ଅଲି ଆକବର କହିଛନ୍ତି।

ଅଲି ଆକବର କହିଛନ୍ତି, “ଆମର ସେନା ମୁଖ୍ୟଙ୍କ ମୃତ୍ୟୁ ପରେ ଅନେକ ଲୋକ ସ୍ମାଇଲ୍ ଇମୋଜି ଲଗାଇଥିଲେ। ଏହା ଅତ୍ୟନ୍ତ ଖରାପ କଥା। ଆପଣ ସୋସିଆଲ ମିଡିଆରେ ଏପରି ଲୋକଙ୍କ ନାମ ଦେଖିପାରିବେ। ସେମାନେ ସମସ୍ତେ ମୁସଲମାନ। ଆମେ କେବଳ ନିଜ ଧର୍ମକୁ ଆଗରେ ରଖି କିପରି ବଞ୍ଚିପାରିବା? ମୋ ମତରେ ଧର୍ମ ତିନି ନମ୍ବରରେ ଆସେ। ଏକ ନମ୍ବରରେ ମୋର ଦେଶ। ଦୁଇ ନମ୍ବରରେ ମଧ୍ୟ ମୋର ଦେଶ ଏବଂ ତୃତୀୟ ନମ୍ବରରେ ଧର୍ମ ଆସେ। ”

୫୯ ବର୍ଷୀୟ ଆକବରଙ୍କ ମତରେ କାଶ୍ମୀର ପ୍ରସଙ୍ଗରେ ସେ ପାକିସ୍ତାନ ତଥା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଜେନେରାଲ ରାୱତଙ୍କ ମୃତ୍ୟୁକୁ ନେଇ ମୁସଲିମମାନେ ଏପରି ଖୁସି ମନାଉଛନ୍ତି । ଏହା ଦୁର୍ଭାଗ୍ୟଜନକ ।

ହତାଶ ଅଲି ଆକବର କହିଛନ୍ତି, “କୌଣସି ମୁସଲମାନ ନେତା ଏଭଳି ଲୋକଙ୍କ ବିରୁଦ୍ଧରେ ମୁହଁ ଖୋଲି ନାହାଁନ୍ତି କି ଏପରି ପୋଷ୍ଟ ନକରିବାକୁ ସେମାନଙ୍କୁ ବାରଣ କରିନାହାନ୍ତି। କେରଳରେ ଇସଲାମିକ ଆନ୍ଦୋଳନ ଆଉ ଇସଲାମୀୟ ହୋଇ ରହିନାହିଁ। କେରଳକୁ ଏବେ ଏକ ଇସଲାମିକ ରାଷ୍ଟ୍ର କରିବାକୁ ଯୋଜନା ଚାଲିଛି। କିଛି ନେତା ଏହା ସର୍ବସାଧାରଣରେ କହିଛନ୍ତି। ।

ଅଲି ଆକବର ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଜନ୍ମ ସମୟରେ ତାଙ୍କୁ ପିନ୍ଧାଇ ଦିଆଯାଇଥିବା ପୋଷାକ ସେ ଏବେ କାଢ଼ି ନେଉଛନ୍ତି।

ଅଲି ଆକବର କହିଛନ୍ତି, “ଆଜିଠାରୁ ମୁଁ ଜଣେ ଭାରତୀୟ। ଭାରତ ବିରୋଧରେ ଓ ଜେନେରାଲ ରାୱତଙ୍କ ବିରୋଧରେ ହଜାର ହଜାର ସ୍ମାଇଲ ଇମୋଜି ପୋଷ୍ଟ କରିଥିବା ଲୋକଙ୍କୁ ଏହା ମୋର ଜବାବ୍।”