ଟଙ୍କା ଦୁର୍ବଳ ହେଉନି, ଡଲାର ଅଧିକ ମଜବୁତ୍ ହେବାରେ ଲାଗିଛି: ନିର୍ମଳା ସୀତାରମଣ | News Room Odisha

ଟଙ୍କା ଦୁର୍ବଳ ହେଉନି, ଡଲାର ଅଧିକ ମଜବୁତ୍ ହେବାରେ ଲାଗିଛି: ନିର୍ମଳା ସୀତାରମଣ

ୱାଶିଂଟନ: ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମାଗତ ଦୁର୍ବଳ ହେବାରେ ଲାଗିଛି । ଭାରତୀୟ ମୁଦ୍ରା ୮୨ ଟପି ୮୩ ଛୁଇଁବାକୁ ବସିଲାଣି । କିନ୍ତୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟଙ୍କା ଦୁର୍ବଳ ହେଉଛି ବୋଲି ମାନିବାକୁ ନାରାଜ । ସେ କହିଛନ୍ତି ଯେ ଭାରତୀୟ ଟଙ୍କା ନିଜର ଦୃଢ଼ତା ବଜାୟ ରଖିଛି।

ଦୁର୍ବଳ ହେଉଥିବା ଟଙ୍କାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଟଙ୍କା ମୂଲ୍ୟ ହ୍ରାସ ହେଉନାହିଁ ବରଂ ଡଲାର ଅଧିକ ମଜବୁତ୍ ହେବାରେ ଲାଗିଛି। ଡଲାର ତୁଳନାରେ ଅନ୍ୟ ମୁଦ୍ରା ଗୁଡ଼ିକର ମୂଲ୍ୟ ମଧ୍ୟ ହ୍ରାସ ପାଉଛି।

“ବିନିମୟ ମୂଲ୍ୟରେ ବୃଦ୍ଧି ଡଲାର ସପକ୍ଷରେ ଯାଇଛି। ମୁଁ ଭାବୁଛି ଯେ ଅନ୍ୟ ଉଦୀୟମାନ ବଜାରର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କା ବହୁତ ଭଲ ସ୍ଥିତିରେ ଅଛି ।”

ୱାଶିଂଟନରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏବଂ ବିଶ୍ବ ବ୍ୟାଙ୍କର ବୈଠକ ପରେ ନିର୍ମଳା ସୀତାରମଣ କହିଛନ୍ତି ଯେ ମୁଦ୍ରାସ୍ଫୀତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ।

ଅର୍ଥମନ୍ତ୍ରୀ କହିଛନ୍ତି, “ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି। ମାଇକ୍ରୋଇକୋନୋମିକ ଫଣ୍ଡାମେଣ୍ଟାଲ୍ ସହ ବୈଦେଶିକ ମୁଦ୍ରା ମଧ୍ୟ ଭଲ ସ୍ଥିତିରେ ଅଛି। ସେଥିପାଇଁ ମୁଁ ବାରମ୍ବାର କହୁଛି ଯେ ମୁଦ୍ରାସ୍ଫୀତି ବର୍ତ୍ତମାନ ଯେଉଁ ସ୍ତରରେ ରହିଛି ତାହା ମ୍ୟାନେଜ୍ ହୋଇପାରିବ ।