ନୂଆଦିଲ୍ଲୀ: ୱାୟାନାଡରେ ତାଙ୍କ ଅଫିସ୍ ଭଙ୍ଗାରୁଜା ସନ୍ଦର୍ଭରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ଉଦୟପୁର ହତ୍ୟାକାଣ୍ଡ ସହ ଯୋଡ଼ି ଉପସ୍ଥାପନ କରିଥିବାରୁ ମଧ୍ୟପ୍ରଦେଶର ବିଲାସପୁରରେ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ସହ ଚାରିଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ରାହୁଲ ଗାନ୍ଧୀଙ୍କ ସେହି ମନ୍ତବ୍ୟକୁ ଫେକ୍ ନ୍ୟୁଜ ଭଳି ସେୟାର କରାଯାଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତା ପୱନ ଖେରା କହିଛନ୍ତି ଯେ ଆମେ ୬ଟି ରାଜ୍ୟରେ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଭୋଲା ସିଂହ ଏବଂ ବହୁ ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ଅଭିଯୋଗ କରିଛୁ । ଆମର ପ୍ରିୟ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଖବରକୁ ବରଦାସ୍ତ କରିବୁ ନାହିଁ।
ରାହୁଲ ଗାନ୍ଧୀ ତାଙ୍କ ନିର୍ବାଚନମଣ୍ଡଳୀ କେରଳର ୱାୟାନାଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ପ୍ରସଙ୍ଗରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଉଥିଲେ । କିନ୍ତୁ ଏକ ଘରୋଇ ନ୍ୟୁଜ ଚ୍ୟାନେଲ ଏହାକୁ ଉଦୟପୁର ହତ୍ୟାକାଣ୍ଡ ସହ ଯୋଡ଼ି ଖବର ପ୍ରସାରଣ କରିଥିଲା । ଏହାକୁ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ସହ ଅନ୍ୟ ବିଜେପି ନେତା ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ।
ରାହୁଲ ଗାନ୍ଧୀଙ୍କ ନକଲି ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଥିବାରୁ କଂଗ୍ରେସ ପକ୍ଷରୁ ବିଭିନ୍ନ ରାଜ୍ୟରେ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜୟପୁରରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ଶନିବାର ରାତିରେ ବିଜେପି ସାଂସଦ ତଥା ଜାତୀୟ ମୁଖପାତ୍ର ରାଜ୍ୟବର୍ଦ୍ଧନ ରାଠୋର, ଆର୍ମି ମେଜର ସୁରେନ୍ଦ୍ର ପୁନିଆ ଏବଂ ଉତ୍ତରପ୍ରଦେଶ ବିଧାୟକ କମଲେଶ ସାଇନିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।
ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡ଼ିଆ ପୋଷ୍ଟ କରିବାରୁ ରାଜସ୍ଥାନର ଉଦୟପୁରରେ ପ୍ରାୟ ଦୁଇ ସପ୍ତାହ ତଳେ ଜଣେ ଟେଲରଙ୍କୁ ଦୁଇଜଣ ମୁସଲିମ ଯୁବକ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ।
ରାହୁଲ ଗାନ୍ଧୀ ତାଙ୍କ ୱାୟାନାଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ନେଇ କହିଥିଲେ ଯେ ସେମାନେ ଛୋଟ ପିଲା, ସେମାନଙ୍କୁ କ୍ଷମା କରାଯିବା ଉଚିତ୍। କିନ୍ତୁ ଏକ ଘରୋଇ ନ୍ୟୁଜ ଚ୍ୟାନେଲ ରାହୁଲ ଗାନ୍ଧୀ ଉଦୟପୁର ଟେଲର ହତ୍ୟାକାରୀଙ୍କୁ ଛୋଟପିଲା କହୁଛନ୍ତି ବୋଲି ଦେଖାଇଥିବା । ଚ୍ୟାନେଲର ଉକ୍ତ ଭିଡ଼ିଓ କ୍ଲିପ୍ କୁ କିଛି ବିଜେପି ନେତା ମଧ୍ୟ ସେୟାର କରି ରାହୁଲଙ୍କୁ ଟାର୍ଗେଟ କରିଥିଲେ ।