କ୍ରିକେଟ୍ ବିଶ୍ୱକପକୁ 'ବିଶ୍ୱ ଆତଙ୍କ କପ୍'ରେ ପରିଣତ କରିବାକୁ ଧମକ: ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁନ ବିରୋଧରେ ମାମଲା ରୁଜୁ | News Room Odisha

କ୍ରିକେଟ୍ ବିଶ୍ୱକପକୁ ‘ବିଶ୍ୱ ଆତଙ୍କ କପ୍’ରେ ପରିଣତ କରିବାକୁ ଧମକ: ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁନ ବିରୋଧରେ ମାମଲା ରୁଜୁ

ଅହମ୍ମଦାବାଦ: ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେଉଥିବା କ୍ରିକେଟ୍ ବିଶ୍ୱକପକୁ ‘ବିଶ୍ୱ ଆତଙ୍କ କପ୍’ରେ ପରିଣତ କରିବାକୁ ଧମକ ଦେଇଥିବା ନିଷିଦ୍ଧ ସଂଗଠନ ‘ଶିଖ୍ ଫର ଜଷ୍ଟିସ୍ ‘(ଏସ୍ଏଫଜେ)ର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁନ୍ ବିରୋଧରେ ମାମଲା ରୁଜୁ କରିଛି ଗୁଜରାଟ ପୋଲିସ୍ | ଅହମ୍ମଦାବାଦ ପୋଲିସର ସାଇବର କ୍ରାଇମ ବ୍ରାଞ୍ଚରେ ରୁଜୁ ଏଫଆଇଆରରେ କୁହାଯାଇଛି, ବିଦେଶୀ ନମ୍ବରରୁ ପନ୍ନୁନ ଏକ ଅଡିଓ ବାର୍ତ୍ତା ଜରିଆରେ ଦେଶର ଲୋକଙ୍କୁ ଧମକ ଦେଇଛି ।

ସାଇବର କ୍ରାଇମ ବ୍ରାଞ୍ଚ ସବ୍ ଇନ୍ସପେକ୍ଟର ଏଚ୍ ଏନ୍ ପ୍ରଜାପତିଙ୍କ ତରଫରୁ ହୋଇଥିବା ଅଭିଯୋଗରେ କୁହାଯାଇଛି, ଭାରତର ଅନେକ ଲୋକ ଏକ ବିଦେଶୀ ଫୋନ୍ ନମ୍ବରରୁ ଧମକପୂର୍ଣ୍ଣ ବାର୍ତ୍ତା ପାଇଛନ୍ତି। ଏହି ବାର୍ତ୍ତା ପାଇଥିବା ଅନେକ ଲୋକ ବିଭିନ୍ନ ମାଧ୍ୟମରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅକ୍ଟୋବର ୫ରେ କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ ନୁହେଁ ବରଂ ଏହା ‘ବିଶ୍ୱ ଆତଙ୍କବାଦୀ କପ୍’ର ଆରମ୍ଭ ହେବ । ଆମେ ଶହୀଦ ନିଜ୍ଜରଙ୍କ ହତ୍ୟାର ପ୍ରତିଶୋଧ ନେବୁ ବୋଲି ଏହି ବାର୍ତ୍ତାରେ କୁହାଯାଇଛି ।

ରୁଜୁ ହୋଇଥିବା ଏଫ୍ଆଇଆର୍ ଅନୁଯାୟୀ, ଗୁରୁପତଓ୍ବନ୍ତ ସିଂ ପନ୍ନୁନକୁ ଭାରତ ସରକାର ଆତଙ୍କବାଦୀ ଘୋଷିତ କରିଛନ୍ତି ଏବଂ ସେ ବିଦେଶରୁ ଜଷ୍ଟିସ ଫର୍ ଶିଖ୍ ନାମକ ଏକ ସଂଗଠନ ଚଳାଉଛି।

କ୍ରିକେଟ୍ ବିଶ୍ୱକପ୍ ଅକ୍ଟୋବର ୫ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହେବ। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତ ଓ କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ପରେ ପନ୍ନୁନ ଏପରି ଧମକପୂର୍ଣ୍ଣ ବାର୍ତ୍ତା ଜାରି କରିଛି। ଅକ୍ଟୋବର ୧୪ରେ ବିଶ୍ୱକପର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ।