ପୁଣି ବିବାଦରେ ମହୁଆ ମଇତ୍ର, ଏଥର ଏହି ଟ୍ବିଟକୁ ନେଇ ରୁଜୁ ହେଲା ମାମଲା | News Room Odisha

ପୁଣି ବିବାଦରେ ମହୁଆ ମଇତ୍ର, ଏଥର ଏହି ଟ୍ବିଟକୁ ନେଇ ରୁଜୁ ହେଲା ମାମଲା

ଗୁଆହାଟି: ମା’ କାଳୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ଏବେ ଏକ ନୂଆ ମାମଲାରେ ଫସିଛନ୍ତି ‌। ମହୁଆ ଏବେ ‘ଆସାମ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା’ ଅଭିଯୋଗ ହୋଇଛି । ଏଥିପାଇଁ ମହୁଆଙ୍କ ବିରୋଧରେ ଆସାମରେ ଏକ ମାମଲା ରୁଜୁ ହୋଇଛି। ମହୁଆ ତାଙ୍କର ଏକ ଟ୍ବିଟରେ ଆସାମର ଏକ ସାଙ୍ଗିଆ ‘ଗୋଗୋଇ’କୁ ଶାରୀରିକ ନିର୍ଯାତନା ସହ ଯୋଡ଼ି ଥିବାରୁ ଆସାମର ଜାତୀୟ ସଂଗ୍ରାମୀ ସେନା ଶିବସାଗର ଜିଲ୍ଲାରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ମହୁଆ ସର୍ତ୍ତମୂଳକ କ୍ଷମା ମାଗନ୍ତୁ ବୋଲି ଦାବି କରିଛି।

ଏଫଆଇଆରରେ ସଂଗଠନର ଶିବସାଗର ୟୁନିଟର ସଭାପତି ପ୍ରଣବ ଚେଟିୟା ଅଭିଯୋଗ କରିଛନ୍ତି ଯେ
ମହୁଆ ଟ୍ୱିଟରେ ‘ଗୋଗୋଇ’ ଶବ୍ଦ ବଦଳରେ ଉଦ୍ଦେଶ୍ୟମୂଳକ ଭାବେ ଶାରୀରିକ ନିର୍ଯାତନା ଯୋଡ଼ିଛନ୍ତି । ଯାହା ଆସାମର ଏକ ପ୍ରତିଷ୍ଠିତ ଜାତି ସମ୍ପ୍ରଦାୟର ମାନହାନୀ ତଥା ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ। । “ଏଫଆଇଆରରେ ଏହି ସଂଗଠନ ଅହୋମ ସମ୍ପ୍ରଦାୟର ପବିତ୍ରତା, ଅଖଣ୍ଡତା ଏବଂ ସମ୍ମାନ ରକ୍ଷା କରିବାକୁ ଏବଂ ମୋହୁଆ ମଇତ୍ରଙ୍କୁ ଦଣ୍ଡ ଦେବାକୁ ଦାବି କରିଛି।

ସଂସଦରେ କେତୋଟି ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର ଉପରେ କଟକଣା ଲଗାଯିବା ନେଇ ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ମହୁଆ ମଇତ୍ର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଥିଲେ । ସେ ଲେଖିଥିଲେ “ଅଣସଂସଦୀୟ ଶବ୍ଦ ବଦଳାଇବା ଉପରେ ମୋର ଏହି ନୂଆ ଟ୍ୱିଟର ସିରିଜ୍। ବର୍ତ୍ତମାନ ନିଷିଦ୍ଧ ଶବ୍ଦ ‘ଶାରୀରିକ ନିର୍ଯାତନା’ ବଦଳରେ ‘ଶ୍ରୀ ଗୋଗୋଇ’ ବ୍ୟବହାର କରାଯିବ।

‘ଗୋଗୋଇ’ ହେଉଛି ଆସାମରେ ଏକ ସାଧାରଣ ଉପନାମ ବା ସାଙ୍ଗିଆ | ମଇତ୍ର ଏହାକୁ ଶାରିରୀକ ନିର୍ଯ୍ୟାତନା ସହ ଯୋଡ଼ିଥିବାରୁ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମାଲୋଚକ ଉତ୍କଳ ବୋରପୁଜାରୀ ମଇତ୍ରଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ ଏବଂ ସେ ଇଶାରାରେ ଯେଉଁ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିବାକୁ ଚାହୁଁଛନ୍ତି ତାହା ଉଲ୍ଲେଖ କରିବାକୁ ପରାମର୍ଶ ଦେଇଥିଲେ।

ଏହା ପରେ ମଇତ୍ର ଅନ୍ୟ ଏକ ଟ୍ୱିଟରେ ସ୍ପଷ୍ଟ କରି ଲେଖିଥିଲେ ଯେ: “କେବଳ ସେହି ସଂଘୀ ମାନଙ୍କର ଟ୍ୱିଟ୍ ପାଇଁ ଯେଉଁମାନେ କୁହନ୍ତି ଯେ ମୁଁ ସମସ୍ତ ଗୋଗୋଇଙ୍କୁ ଟାର୍ଗେଟ କରିଛି, ମୋତେ ସ୍ପଷ୍ଟ କରିବାକୁ ଦିଅନ୍ତୁ ଯେ ମୋର ସେହି ଟ୍ବିଟ୍ ରାଜ୍ୟସଭାର ମାନ୍ୟବର ସାଂସଦ ଶ୍ରୀ ରଂଜନ ଗୋଗୋଇଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।”