ପ୍ରଥମ ସ୍ୱଦେଶୀ ଲଢୁଆ ହେଲିକପ୍ଟର୍‌ 'ପ୍ରଚଣ୍ଡ' ବାୟୁସେନାରେ ସାମିଲ | News Room Odisha

ପ୍ରଥମ ସ୍ୱଦେଶୀ ଲଢୁଆ ହେଲିକପ୍ଟର୍‌ ‘ପ୍ରଚଣ୍ଡ’ ବାୟୁସେନାରେ ସାମିଲ

ଯୋଧପୁର: ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ୍) ‘ପ୍ରଚଣ୍ଡ’ । ଏଥିସହ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି । ରାଜସ୍ଥାନର ଯୋଧପୁରରେ ଆଜି ଆୟୋଜିତ ଏକ ଉତ୍ସବରେ ‘ପ୍ରଚଣ୍ଡ’ କୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବାୟୁସେନାର ମୁଖ୍ୟ ଚିଫ୍‌ ଏୟାର୍‌ ମାର୍ସାଲ୍‌ ଭି.ଆର୍‌. ଚୌଧରୀ ଉପସ୍ଥିତ ଥିଲେ।ଏହାକୁ ସେନା ପକ୍ଷରୁ ରାଜସ୍ଥାନର ଲଙ୍ଗେୱାଲାଠାରେ ମୁତୟନ କରାଯିବ।

ସ୍ବଦେଶୀ ଜ୍ଞାନକୌଶଳରେ ଭାରତରେ ବିକଶିତ କରାଯାଇଥିବା ହାଲୁକା ଲଢୁଆ ହେଲିକପ୍ଟର୍‌ ‘ପ୍ରଚଣ୍ଡ’ର ନିର୍ମାତା ହେଉଛି ‘ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌’। ୩,୮୮୭ କୋଟି ଟଙ୍କାରେ ‘ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌’ରୁ ୧୫ଟି ହାଲୁକା ଲଢୁଆ ହେଲିକପ୍ଟର୍‌ ଖରିଦ କରିବା ପ୍ରସ୍ତାବକୁ ମାର୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ‘କ୍ୟାବିନେଟ୍‌ କମିଟି ଅନ୍‌ ସିକ୍ୟୁରିଟି’ ଅନୁମୋଦନ କରିଥିଲା। ଏଥିରୁ ୧୦ଟି ହେଲିକପ୍ଟର୍‌ ଭାରତୀୟ ବାୟୁସେନା ଓ ୫ଟି ଭାରତୀୟ ସେନାକୁ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଥିଲା।