ପାହାଡ଼ରୁ ପଥର ଖସି କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସର ପାଞ୍ଚ ବଗି ଲାଇନଚ୍ୟୁତ | News Room Odisha

ପାହାଡ଼ରୁ ପଥର ଖସି କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସର ପାଞ୍ଚ ବଗି ଲାଇନଚ୍ୟୁତ

ନୂଆଦିଲ୍ଲୀ: ତାମିଲନାଡୁର ଧରମପୁରୀ ଠାରେ କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସର ପାଞ୍ଚ କୋଚ୍ ଆଜି ସକାଳେ ଲାଇନଚ୍ୟୁତ ହୋଇଯାଇଛି। ବେଙ୍ଗାଲୁରୁ ଡିଭିଜନର ଟୋପ୍ପୁରୁ-ସିବିଡି ଘାଟି ସେକ୍ସନରେ ପାହାଡ଼ରୁ ବିରାଟ ପଥର ଖଣ୍ଡ ଟ୍ରେନ୍ ଉପରେ ଖସିବାରୁ ଏହି ଦୁର୍ଘଟଣା ଘଟିଛି। ଦକ୍ଷିଣ ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣା ଭୋର୍ ପ୍ରାୟ ୩:୫୦ରେ ଘଟିଥିଲା । ଟ୍ରେନରେ ୨୩୪୮ ଯାତ୍ରୀ ଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ଏଥିରେ କୌଣସି କ୍ଷୟକ୍ଷତି ଘଟିନାହିଁ। କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଏହି ରୁଟ୍ ଦେଇ ଯିବାକୁ ଥିବା କିଛି ଟ୍ରେନ୍ ର ଗତିପଥ ପରିବର୍ତ୍ତନ କରାଯାଇଛି।

ଟ୍ରେନଟି ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ କନ୍ନୁରରୁ ବାହାରିଥିଲା। ଦକ୍ଷିଣ ପଶ୍ଚିମ ରେଳ ଅନୁଯାୟୀ, ଏହି ଦୁର୍ଘଟଣା ଭୋର୍ ୩:୫୦ରେ ଘଟିଛି। ଟୋପ୍ପୁରୁ-ସିବିଡି ଘାଟ ସେକ୍ସନରେ ପାହାଡ଼ରୁ ହଠାତ୍ କିଛି ପଥର ଖଣ୍ଡ ଟ୍ରେନ୍ ଉପରେ ପଡ଼ିଥିଲା। ଫଳରେ ଟ୍ରେନର କିଛି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା । କୋଚଗୁଡ଼ିକୁ ହଟାଇବା ପାଇଁ ଟ୍ରାକ୍ ମରାମତି କାର୍ଯ୍ୟ ଚାଲିଛି |

ଦୁର୍ଘଟଣା ପରେ ବେଙ୍ଗାଲୁରୁର ଡିଆରଏମ ଶ୍ୟାମ ସିଂଙ୍କ ସହ ବରିଷ୍ଠ ଅଧିକାରୀ, ଡାକ୍ତର ଏବଂ ଦୁର୍ଘଟଣା ରିଲିଫ ଟ୍ରେନ୍ ସହ ଏକ ବିଭାଗୀୟ ଦଳ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାଲେମର ଡିଆରଏମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି। ଫସି ରହିଥିବା ଯାତ୍ରୀମାନଙ୍କ ପାଇଁ ପାଣି ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।