କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ୫ ମୃତ | News Room Odisha

କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ୫ ମୃତ

ଭୁବନେଶ୍ୱର : ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ୫ ଜଣଙ୍କ ଜୀବନ ଘଟଣାସ୍ଥଳରେ ହିଁ ଚାଲିଯାଇଛି। ଖଣ୍ଡବିଖଣ୍ଡିତ ମାନବ ଅଙ୍ଗ ଓ ମୃତଦେହର ଅଂଶରେ ରକ୍ତରଞ୍ଜିତ ହୋଇଯାଇଛି ରେଳ ଧାରଣା । ସୋମବାର ରାତି ପ୍ରାୟ ୯ଟା ୩୦ରେ ଆନ୍ଧ୍ରପ୍ରଦେଶ ରାଜ୍ୟ ଅନ୍ତର୍ଗତ ବିଶାଖାପାଟଣା ଷ୍ଟେସନ୍ ଓ ପାଲାସା ଷ୍ଟେସନ୍ ମଧ୍ୟବର୍ତ୍ତୀ ଚିପୁରପଲ୍ଲୀ ଷ୍ଟେସନ୍‌ ନିକଟ ସିଗଡମ୍ ଠାରେ ଏହି ଅଘଟଣ ଘଟିଛି ।

ଯାତ୍ରୀମାନେ ଉକ୍ତ ଷ୍ଟେସନ୍‌ର କିଛି ରାସ୍ତା ପୂର୍ବରୁ ଏକ ଏକ୍ସପ୍ରେସ୍ ଟ୍ରେନ୍‌ର ଚେନ୍‌ ଟାଣି ମଝି ରାସ୍ତାରେ ଓହ୍ଲାଇଥିଲେ । ଅନ୍ଧାର ରାତିରେ ରେଳଧାରଣା ଉପର ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିବା ବେଳେ ଦ୍ରୁତଗାମୀ କୋଣାର୍କ ଏକ୍ସପ୍ରେସ୍ ସେମାନଙ୍କ ଉପରେ ମାଡି ଯାଇଥିଲା। ଫଳରେ ୫ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଆଉ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି । ତାଙ୍କୁ ବିଜୟନଗରମ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଆର୍‌ପିଏଫ୍ ସମେତ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପହଞ୍ଚିଛନ୍ତି । ବିଶାଖାପାଟଣାରୁ ଏକ୍ସିଡେଣ୍ଟ ରିଲିଫ୍ ମେଡିକାଲ୍ ଟ୍ରେନ୍ ଚିପୁରପଲ୍ଲୀ ପଠାଯାଇଛି । ପ୍ରାଥମିକ ଭାବେ ଏମାନେ ଦାଦନ ଖଟିବାକୁ ଅନ୍ୟତ୍ର ଯାଇଥିଲେ ଓ ଟ୍ରେନ୍‌ରେ ନିଜ ଗାଁକୁ ଫେରୁଥିଲେ ବୋଲି ଜଣାଯାଇଛି ।