କୁଲଗାମ ଏନକାଉଣ୍ଟର: ପାଞ୍ଚ ଆତଙ୍କବାଦୀ ନିପାତ | News Room Odisha

କୁଲଗାମ ଏନକାଉଣ୍ଟର: ପାଞ୍ଚ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଗତ ରାତିରୁ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ସଫଳତା ମିଳିଛି। ପାଞ୍ଚ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୋଲିସ ଶୁକ୍ରବାର ଏହି ସୂଚନା ଦେଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ନିପାତ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଉଛି । ଅଞ୍ଚଳରେ ତଲାସି ଅଭିଯାନ ଚାଲିଛି ।

ପୋଲିସ ଅଧିକାରୀ କହିବା ମୁତାବକ, ଗୁରୁବାର ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ କୁଲଗାମର ନେହାମା ଗ୍ରାମକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇବା ପରେ ସେନା ପାଲଟା ଜବାବ ଦେଇଥିଲା ।

ଅଧିକାରୀ କହିଛନ୍ତି, ଆତଙ୍କବାଦୀମାନେ ଉପସ୍ଥିତ ଥିବା ଅଞ୍ଚଳରେ ସୁରକ୍ଷା ବାହିନୀ ଏକ କର୍ଡନ ଲଗାଇଥିଲେ ମଧ୍ୟ ରାତିରେ କିଛି ସମୟ ପାଇଁ ଏହି ଅପରେସନକୁ ବନ୍ଦ କରିବାକୁ ପଡ଼ିଥିଲା। ଶୁକ୍ରବାର ସକାଳେ ପୁଣି ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗୁଳି ବିନିମୟରେ ଆତଙ୍କବାଦୀମାନେ ଲୁଚି ରହିଥିବା ଘରେ ନିଆଁ ଲାଗିଯାଇଥିଲା।