ସ୍ବିଗି, ଜୋମାଟୋରେ ଖାଦ୍ୟ ମଗାଇବା ହେଲା ମହଙ୍ଗା, ଜୋତା ଓ ଚପଲ ଉପରେ ବି ଦେବାକୁ ହେବ ଅଧିକ ଜିଏସଟି | News Room Odisha

ସ୍ବିଗି, ଜୋମାଟୋରେ ଖାଦ୍ୟ ମଗାଇବା ହେଲା ମହଙ୍ଗା, ଜୋତା ଓ ଚପଲ ଉପରେ ବି ଦେବାକୁ ହେବ ଅଧିକ ଜିଏସଟି

ନୂଆଦିଲ୍ଲୀ: ନୂଆ ବର୍ଷରୁ ଅନଲାଇନରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହୋଇଛି | ନୂଆ ନିୟମ ଅନୁଯାୟୀ ଖାଦ୍ୟ ସାମଗ୍ରୀର ଅନଲାଇନ୍ ବିତରଣ କରୁଥିବା ସ୍ବିଗି ଏବଂ ଜୋମାଟୋ ପରି କମ୍ପାନୀଗୁଡିକ ଏବେ ଗ୍ରାହକଙ୍କଠାରୁ ପାଞ୍ଚ ପ୍ରତିଶତ ଟିକସ ସଂଗ୍ରହ କରି ସରକାରଙ୍କ ନିକଟରେ ଜମା କରିବେ | ବର୍ତ୍ତମାନ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିସରରୁ ବାହାରେ ଥିବା ଖାଦ୍ୟ ବିତରଣକାରୀ କମ୍ପାନୀଙ୍କୁ ଏବେ ଅନଲାଇନ୍ ଅର୍ଡର ପାଇଁ ଜିଏସଟି ଦେବାକୁ ପଡିବ |

ସମ୍ପ୍ରତି ଜିଏସ୍ଟି ଅଧୀନରେ ପଞ୍ଜୀକୃତ ରେଷ୍ଟୁରାଣ୍ଟଗୁଡିକ ଗ୍ରାହକଙ୍କଠାରୁ ଟିକସ ସଂଗ୍ରହ କରନ୍ତି ଏବଂ ଏହାକୁ ସରକାରଙ୍କ ନିକଟରେ ଜମା କରନ୍ତି | ଏହାଛଡ଼ା ଉବର ଏବଂ ଓଲା ଭଳି ଆପ୍ ଆଧାରିତ କ୍ୟାବ ସେବା କମ୍ପାନୀଗୁଡିକୁ ମଧ୍ୟ ଏବେ ଦୁଇ ଚକିଆ ଏବଂ ତିନି ଚକିଆ ବୁକିଂ ଉପରେ ୫% ଜିଏସଟି ସଂଗ୍ରହ କରିବେ | ନୂଆବର୍ଷରୁ ଚପଲ ମଧ୍ୟ ମହଙ୍ଗା ହୋଇଛି । ଜୋତା ଓ ଚପଲ ଉପରେ ୧୨ ପ୍ରତିଶତ ଜିଏସଟି ଆଦାୟ କରାଯିବ |

ଏଥିସହ ଟିକସ ଫାଙ୍କି ରୋକିବା ପାଇଁ ଜିଏସଟି ଆଇନରେ ସଂଶୋଧନ କରାଯାଇଛି। ଏହା ଅଧୀନରେ, ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ବର୍ତ୍ତମାନ କେବଳ ଥରେ ଉପଲବ୍ଧ ହେବ | ଟିକସଦାତାଙ୍କ ଜିଏସଟିଆର ୨ବି (କ୍ରୟ ରିଟର୍ନ) ରେ ‘କ୍ରେଡିଟ୍’ ରୁଜୁ ହେବା ପରେ ଏହା ଦିଆଯିବ | ଏହା ପୂର୍ବରୁ ଜିଏସ୍ଟି ନିୟମ ଅନୁଯାୟୀ ପାଞ୍ଚ ପ୍ରତିଶତ ଏକ ‘ଅସ୍ଥାୟୀ’ କ୍ରେଡିଟ୍ ଦିଆଯାଉଥିଲା। ଜାନୁଆରୀ ୧, ୨୦୨୨ ରୁ ଏହି ବ୍ୟବସ୍ଥା ଉଚ୍ଛେଦ କରାଯାଇଛି |