ପ୍ରଥମ ଥର ୟୁନେସ୍କୋର ବିଶ୍ୱ ଐତିହ୍ୟ କମିଟିର ଅଧ୍ୟକ୍ଷତା କରିବ ଭାରତ | News Room Odisha

ପ୍ରଥମ ଥର ୟୁନେସ୍କୋର ବିଶ୍ୱ ଐତିହ୍ୟ କମିଟିର ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର ଅଧ୍ୟକ୍ଷତା କରିବା ସୁଯୋଗ ପାଇଛି। ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର ପରବର୍ତ୍ତୀ ବୈଠକ ଜୁଲାଇ ୨୧ ରୁ ୩୧ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ | ଏଥିରେ ଅଧ୍ୟକ୍ଷତା କରିବ ଭାରତ। ୟୁନେସ୍କୋର ଭାରତର ସ୍ଥାୟୀ ପ୍ରତିନିଧୀ ବିଶାଲ ଭି ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ବୈଠକ ବର୍ଷକୁ ଥରେ ଆୟୋଜିତ ହୋଇଥାଏ | ଏହି କମିଟି ବିଶ୍ୱ ଐତିହ୍ୟର ସଂରକ୍ଷଣ ଏବଂ ଚିହ୍ନଟ ପାଇଁ କାର୍ଯ୍ୟ କରେ |

ୟୁନେସ୍କୋ କ’ଣ?

ୟୁନେସ୍କୋ ଜାତିସଂଘର ୧୯୩ ସଦସ୍ୟ ବିଶିଷ୍ଟ ଏକ ସଂସ୍ଥା | ଏଥିରେ ୧୧ ସହଯୋଗୀ ସଦସ୍ୟ ବି ଅଛନ୍ତି | ୧୬ ନଭେମ୍ବର ୧୯୩୫ରେ ୟୁନେସ୍କୋର ଗଠନ ହୋଇଥିଲା | ଏହାର ମୁଖ୍ୟାଳୟ ଫ୍ରାନ୍ସର ପ୍ୟାରିସରେ ରହିଛି | ଏହାଛଡ଼ା ବିଶ୍ୱବ୍ୟାପୀ ଏହାର ୫୩ଟି ଆଞ୍ଚଳିକ କାର୍ଯ୍ୟାଳୟ ଅଛି | ୟୁନେସ୍କୋ ଅଧୀନରେ ସାରା ବିଶ୍ୱରେ ୪୦ଟି ଆନ୍ତର୍ଜାତୀୟ ଦିବସ ପାଳନ କରାଯାଏ | ୟୁନେସ୍କୋ ବିଶ୍ବର ବହୁ ପୁରାତନ ତଥା ଐତିହାସିକ କୀର୍ତ୍ତିରାଜି ଗୁଡ଼ିକର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରିଥାଏ | ଏହାଛଡ଼ା ବିଶ୍ୱର ୩୩୨ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ସହିତ ୟୁନେସ୍କୋର ସମ୍ପର୍କ ରହିଛି |

ୟୁନେସ୍କୋର ପ୍ରଥମ ସମ୍ମିଳନୀ ୧୦ ନଭେମ୍ବର ୧୯୪୬ରେ ଅନୁଷ୍ଠିତ ହୋଇଥିଲା | ଏଥିରେ ପ୍ରାୟ ୩୦ଟି ଦେଶ ଅଂଶଗ୍ରହଣ କରିଥିଲେ। ସ୍ୱାଧୀନତା ପରଠାରୁ ଭାରତ ଏହାର ସଦସ୍ୟ ରହିଆସିଛି। ୧୯୫୧ରେ ଭାରତ, ଜାପାନ, ୧୯୫୩ରେ ପଶ୍ଚିମ ଜର୍ମାନୀ ଏବଂ ସ୍ପେନ୍ ଏବଂ ୧୯୫୪ରେ ସୋଭିଏତ୍ ୟୁନିଅନ୍ ମଧ୍ୟ ଏହାର ସଦସ୍ୟ ହୋଇଥିଲେ।