ସଡ଼କ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ | News Room Odisha

ସଡ଼କ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ସଡ଼କ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ମୁମ୍ବାଇ ନିକଟସ୍ଥ ପାଲଘରର କାସା ନିକଟ ଅହମ୍ମଦାବାଦ- ମୁମ୍ବାଇ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ ମିସ୍ତ୍ରୀଙ୍କ ମର୍ସିଡିଜ୍ କାର ଏକ ରୋଡ୍ ଡିଭାଇଡର୍ ସହ ପିଟି ହୋଇଯାଇଥିଲା । କାରରେ ମିସ୍ତ୍ରୀଙ୍କ ସହ ମୋଟ ଚାରି ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ ମିସ୍ତ୍ରୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ମିସ୍ତ୍ରୀଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସାଇରସ ମିସ୍ତ୍ରୀଙ୍କୁ ୫୪ ବର୍ଷ ହୋଇଥିଲା ।

ପାଲଘର ପୋଲିସ ଏସପି ବାଲାସାହେବ ପାଟିଲ କହିଛନ୍ତି, ମିସ୍ତ୍ରୀ ଯେଉଁ କାରରେ ଯାଉଥିଲେ ତାହାର ନମ୍ବର ହେଉଛି ଏମ୍ଏଚ୍-୪୭-ଏବି-୬୭୦୫। ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସୂର୍ଯ୍ୟ ନଦୀ ପୋଲରେ ଅପରାହ୍ନ ପ୍ରାୟ ୩.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

ଚଳିତ ବର୍ଷ ଜୁନ୍ ୨୮ରେ ସାଇରସ୍ ମିସ୍ତ୍ରୀଙ୍କ ପିତା ତଥା ଉଦ୍ୟୋଗପତି ପାଲୋନଜୀ ମିସ୍ତ୍ରୀ (୯୩) ଙ୍କ ଦେହାନ୍ତ ହୋଇଥିଲା। ସାଇରସ୍ ଏବଂ ତାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଦୁଇ ଭଉଣୀ ଲୈଲା ମିସ୍ତ୍ରୀ ଏବଂ ଅଲୁ ମିସ୍ତ୍ରୀଙ୍କ ବ୍ୟତୀତ ତାଙ୍କ ମା ପାଟିସ୍ ପେରିନ୍ ଡୁବାସ୍, ଶାପୁର ମିସ୍ତ୍ରୀ ଅଛନ୍ତି ।

ରତନ ଟାଟା ଡିସେମ୍ବର ୨୦୧୨ରେ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସାଇରସ୍ ମିସ୍ତ୍ରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା | ତେବେ ଚାରି ବର୍ଷ ମଧ୍ୟରେ ଅର୍ଥାତ ୨୪ ଅକ୍ଟୋବର ୨୦୧୬ରେ ଟାଟା ସନ୍ସ ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିଲେ । ତାଙ୍କ ସ୍ଥାନରେ ରତନ ଟାଟାଙ୍କୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ କରାଯାଇଥିଲା। ଏହା ପରେ ୧୨ ଜାନୁଆରୀ ୨୦୧୭ରେ ଏନ ଚନ୍ଦ୍ରଶେଖରନଙ୍କୁ ଟାଟା ସନ୍ସର ଚେୟାରମ୍ୟାନ୍ କରାଯାଇଥିଲା।

ଏହି ବିବାଦ ସମ୍ପର୍କରେ ଟାଟା ସନ୍ସ ତରଫରୁ କୁହାଯାଇଥିଲା ଯେ ମିସ୍ତ୍ରୀଙ୍କ କାର୍ଯ୍ୟ ପଦ୍ଧତି ଟାଟା ସନ୍ସ କାର୍ଯ୍ୟଶୈଳୀ ସହ ମେଳ ଖାଉ ନାହିଁ। ଏହି କାରଣରୁ ବୋର୍ଡ ସଦସ୍ୟମାନେ ମିସ୍ତ୍ରୀଙ୍କ ଉପରେ ବିଶ୍ୱାସ ହରାଇଥିଲେ। ଟାଟାର ୧୫୦ ବର୍ଷରୁ ଊର୍ଦ୍ଧ୍ବ ଇତିହାସରେ ସାଇରସ୍ ମିସ୍ତ୍ରୀ ଷଷ୍ଠ ଗ୍ରୁପ୍ ଚେୟାରମ୍ୟାନ ଥିଲେ |