ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ଗୋପାଳପୁରର ପୂର୍ବତନ କଂଗ୍ରେସ ନେତା ଧର୍ମରାଜ ରେଡ୍ଡୀ | News Room Odisha

ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ଗୋପାଳପୁରର ପୂର୍ବତନ କଂଗ୍ରେସ ନେତା ଧର୍ମରାଜ ରେଡ୍ଡୀ

ବ୍ରହ୍ମପୁର – ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ପ୍ରଭାବିତ ହୋଇ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ନେତା ଧର୍ମରାଜ ରେଡ୍ଡୀ ଓ ତାଙ୍କର ଶତାଧିକ ସମର୍ଥକ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଧର୍ମରାଜ ଓ ତାଙ୍କ ସମର୍ଥକମାନେ ସାମିଲ ହେବା ଦ୍ୱାରା ପଂଚାୟତ ନିର୍ବାଚନ ପୂର୍ବରୁ ଶାସକ ଦଳ ସାଂଗଠନିକ ସ୍ଥିତି ଆହୁରି ମଜବୁତ ହୋଇଛି । ଗୋପାଳପୁର ନିକଟସ୍ଥ କରାପଲ୍ଲୀରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଧର୍ମରାଜ ରେଡ୍ଡୀ ଓ ତାଙ୍କର ଶହ ଶହ ସମର୍ଥକ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ , ମନ୍ତ୍ରୀ ଜଗନ୍ନାଥ ସାରକା ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି ଡକ୍ଟର ଗୋପବନ୍ଧୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡିର ନୂଆ ସଦସ୍ୟଙ୍କୁ ସ୍ୱାଗତ କରି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ଏକ ନୂଆ ଓଡିଶା ଗଠନ ପାଇଁ ତାଙ୍କର ନିଷ୍ଠା ରାଜ୍ୟବ୍ୟାପୀ ଲୋକଙ୍କୁ ପ୍ରେରଣା ଯୋଗାଉଛି । ମନ୍ତ୍ରୀ ଜଗନ୍ନାଥ ସାରକା ଏହି ଅବସରରେ କହିଥିଲେ ଯେ, ବିଜେଡି ଆଉ ଏକ ରାଜନୈତିକ ଦଳ ହୋଇ ରହିନାହିଁ । ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତା ଯୋଗ ଦେଇଥିଲେ ।