ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ସ୍ୱାମୀ ଗିରଫ, ଭିଡିଓକନ୍ ୠଣ ମାମଲାରେ ବାନ୍ଧିଲା ସିବିଆଇ | News Room Odisha

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ସ୍ୱାମୀ ଗିରଫ, ଭିଡିଓକନ୍ ୠଣ ମାମଲାରେ ବାନ୍ଧିଲା ସିବିଆଇ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ସିବିଆଇ ଗିରଫ କରିଛି। ଭିଡିଓକନ୍-ଆଇସିଆଇସିଆଇ ବ୍ୟାଙ୍କ ଋଣ ଅନିୟମିତତା ମାମଲାରେ ସିବିଆଇ ଉଭୟଙ୍କୁ ଗିରଫ କରିଛି।

ଚନ୍ଦା କୋଚର ସିଇଓ ଥିବା ବେଳେ ଭିଡିଓକନ୍ ଗ୍ରୁପକୁ ଆଇସିଆଇସିଆଇ ବ୍ୟାଙ୍କ ପ୍ରାୟ ୩୨୫୦ କୋଟି ଟଙ୍କା ଋଣ ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।

ଫେବୃଆରୀ, ୨୦୧୯ରେ ଇଡି ଏହି ମାମଲାରେ ଏକ ଅପରାଧିକ ମାମଲା ରୁଜୁ କରିଥିଲା। ଚନ୍ଦା କୋଚର ଭିଡିଓକନ୍ ଗ୍ରୁପ ପ୍ରତି ଅହେତୁକ ଅନୁଗ୍ରହ ଦେଖାଇଥିବା ଅଭିଯୋଗ ହୋଇଥିଲା । ୫୯ ବର୍ଷୀୟା ଚନ୍ଦା କୋଚର ଅକ୍ଟୋବର ୨୦୧୮ରେ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଓ ଏମଡି ପଦରୁ ଇସ୍ତଫା ଦେଇଥିଲେ।

୨୦୦୮ ରୁ ୨୦୧୧ ମଧ୍ୟରେ ଭିଡିଓକନ୍ ଗ୍ରୁପ୍ ପ୍ରମୋଟର୍ ବେଣୁଗୋପାଳ ଧୂତଙ୍କୁ ଋଣ ପ୍ରଦାନରେ ଚନ୍ଦା କୋଚର ନିଜ ପଦବୀର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଚନ୍ଦା କୋଚର, ତାଙ୍କ ସ୍ୱାମୀ ତଥା ଭିଡିଓକନ୍ ଗ୍ରୁପ୍‌ର ବେଣୁଗୋପାଳ ଧୂତଙ୍କ ବିରୋଧରେ ସିବିଆଇ ଏକ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରିଥିଲା। ବେଣୁଗୋପାଳ ଧୂତ ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ନେବା ପରେ ‘ନ୍ୟୁପାୱାର୍ ରିନ୍ୟୁବେଲ୍ସ୍’ ନାମକ କମ୍ପାନୀରେ ଶହ ଶହ କୋଟି ଟଙ୍କା ନିବେଶ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।