ଗୁଳିମାଡ଼ ପରେ ଗୁରୁତର ଆହତ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ | News Room Odisha

ଗୁଳିମାଡ଼ ପରେ ଗୁରୁତର ଆହତ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ

ଟୋକିଓ: ଗୁଳିମାଡ଼ ପରେ ଗୁରୁତର ଆହତ ହୋଇଥିବା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଜାପାନର ସରକାରୀ ଗଣମାଧ୍ୟମ ଏନନ୍ଏଚକେ ଆବେଙ୍କ ନିଧନ ହୋଇଥିବା ସ୍ପଷ୍ଟ କରିଛି ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆବେଙ୍କ ଉପରେ ହୋଇଥିବା ଆକ୍ରମଣକୁ ଘୃଣ୍ୟ କାର୍ଯ୍ୟ ବୋଲି କହିଥିଲେ ।
ସେ କହିଛନ୍ତି ଯେ ଆକ୍ରମଣକାରୀଙ୍କ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ କିନ୍ତୁ ଏହା ନିର୍ବାଚନ ପ୍ରଚାର ସହ ଜଡିତ ବୋଲି ଏଡ଼ାଇ ଦିଆଯାଇପାରିବ ନାହିଁ।

ସିଞ୍ଜୋ ଆବେଙ୍କ ପରଲୋକରେ ସମଗ୍ର ଜପାନ ସହ ବିଶ୍ବରେ ଶୋକର ଛାୟା ଖେଳିଯାଇଛି ।

ଶୁକ୍ରବାର ଜାପାନର ନାରା ସହରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ସିଞ୍ଜୋ ଆବେଙ୍କ ଲିବରାଲ୍ ଡେମୋକ୍ରାଟ୍ ପାର୍ଟି କହିଥିଲା ଯେ ଆବେଙ୍କୁ ପଛରୁ ଗୁଳି କରାଯାଇଥିଲା।ଗୁଳିମାଡ଼ ଯୋଗୁଁ ଆବେଙ୍କ ବେକରେ ଆଘାତ ଲାଗିଥିଲା ଏବଂ ଛାତି ଭିତରେ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ ୪୧ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତକୁ ନାରାର ନିଶି ପୋଲିସ ଥାନାକୁ ନିଆଯାଇଛି। ଜାପାନ ଗଣମାଧ୍ୟମ ଅନୁଯାୟୀ, ଆକ୍ରମଣକାରୀ ମେରିଟାଇମ୍ ସେଲ୍ଫ ଡିଫେନ୍ସ ବାହିନୀର ଜଣେ ସଦସ୍ୟ। ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ନାମ ଟେଟସୁୟା ୟାମାଗାମି ବୋଲି ଜଣାପଡିଛି। ସେ ନାରା ସହରର ବାସିନ୍ଦା | ସେ ଏକ ହାତ ତିଆରି ବନ୍ଧୁକରୁ ଆବେଙ୍କ ଉପରେ ଗୁଳି ଚଳାଇଥିଲେ।

ଆବେ ରବିବାର ହେବାକୁ ଥିବା ସଂସଦର ଉପର ସଦନ ନିର୍ବାଚନ ପାଇଁ ଧାରା ସହରରେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଆବେ ଜାପାନର ସବୁଠୁ ଦୀର୍ଘ ଦିନ ପ୍ରଧାନମନ୍ତ୍ରୀ ରହିଥିଲେ । ଆବେ ୨୦୧୨ ରୁ ୨୦୨୦ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଥିଲେ । ୨୦୦୬ରେ ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ କିନ୍ତୁ ଗୋଟିଏ ବର୍ଷ ମଧ୍ୟରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା | ୬୫ ବର୍ଷ ବୟସ୍କ ଆବେ ୨୦୨୦ରେ ସ୍ଵାସ୍ଥ୍ୟଗତ କାରଣରୁ ପ୍ରଧାନମନ୍ତ୍ରୀ ପଦ ଛାଡିଥିଲେ।