ପରଲୋକରେ ଭାରତର 'ଷ୍ଟିଲ ମ୍ୟାନ୍' ଜମସେଦ ଜେ ଇରାନୀ | News Room Odisha

ପରଲୋକରେ ଭାରତର ‘ଷ୍ଟିଲ ମ୍ୟାନ୍’ ଜମସେଦ ଜେ ଇରାନୀ

ନୂଆଦିଲ୍ଲୀ: ଟାଟା ଷ୍ଟିଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଭାରତର ‘ଷ୍ଟିଲ ମ୍ୟାନ୍’ ଭାବେ ପରିଚିତ ଜମସେଦ ଜେ ଇରାନୀଙ୍କ ସୋମବାର ବିଳମ୍ବିତ ରାତିରେ ଜାମସେଦପୁର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଇରାନୀଙ୍କ ଦେହାନ୍ତ ବିଷୟରେ ଟାଟା ଷ୍ଟିଲ ତରଫରୁ ସୂଚନା ଦିଆଯାଇଛି। ଇରାନୀ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଟାଟା ଷ୍ଟିଲ ସହିତ ଜଡିତ ଥିଲେ | ଜୁନ୍ ୨୦୧୧ରେ ସେ ଟାଟା ଷ୍ଟିଲ୍ ବୋର୍ଡରୁ ଅବସର ନେଇଥିଲେ।

ବିଦେଶରେ ଶିକ୍ଷା ଗ୍ରହଣ ଏବଂ ପେସାଦାର ଜୀବନ ଆରମ୍ଭ କରିବା ପରେ ଇରାନୀ ୧୯୬୮ ମସିହାରେ ଟାଟା ଆଇରନ୍ ଏବଂ ଷ୍ଟିଲ୍ କମ୍ପାନୀ (ବର୍ତ୍ତମାନ ଟାଟା ଷ୍ଟିଲ୍) ରେ ଯୋଗଦେବା ପାଇଁ ଭାରତ ଫେରିଥିଲେ | ଗବେଷଣା ଏବଂ ବିକାଶ ପ୍ରଭାରୀ ନିର୍ଦ୍ଦେଶକଙ୍କ ଡେପୁଟି ଭାବେ ସେ କମ୍ପାନୀରେ ଯୋଗ ଦେଇଥିଲେ।

ଟାଟା ଷ୍ଟିଲ୍ ଏବଂ ଟାଟା ସନ୍ସ ବ୍ୟତୀତ ଡକ୍ଟର ଇରାନୀ ଟାଟା ମୋଟର୍ସ ଏବଂ ଟାଟା ଟେଲି ସର୍ଭିସେସ୍ ସହିତ ଟାଟା ଗ୍ରୁପର ଅନେକ କମ୍ପାନୀର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଇରାନୀଙ୍କ ପତ୍ନୀ ଡେଜି ଇରାନୀ ଏବଂ ସେମାନଙ୍କର ତିନି ସନ୍ତାନ ଜୁବିନ୍, ନିଲୋଫର ଏବଂ ତନାଜ ଅଛନ୍ତି।