ବିଜେଡି ଦେଇଥିଲା ପରିଚୟ, ପଚାରିଲା ନାହିଁ ବିଜେପି : ପୂର୍ବତନ ମନ୍ତ୍ରୀ ଏବେ ସମିତି ସଭ୍ୟା ପ୍ରାର୍ଥୀ ! | News Room Odisha

ବିଜେଡି ଦେଇଥିଲା ପରିଚୟ, ପଚାରିଲା ନାହିଁ ବିଜେପି : ପୂର୍ବତନ ମନ୍ତ୍ରୀ ଏବେ ସମିତି ସଭ୍ୟା ପ୍ରାର୍ଥୀ !

ରାଜନୀତି କାହା ପାଇଁ ଜନତାଙ୍କ ସେବା କରିବାକୁ ଏକ ସୁଯୋଗ ତ ଆଉ କାହା ପାଇଁ ବ୍ୟକ୍ତିଗତ ସ୍ୱାର୍ଥ ସାଧନର ମାଧ୍ୟମ । କିନ୍ତୁ ଯେଉଁମାନେ କେବଳ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ରାଜନୀତିରେ ଯେ କୌଣସିମତେ ତିଷ୍ଠିବା ପାଇଁ ଚାହାନ୍ତି, ସେମାନେ ଜନତାଙ୍କ ଆସ୍ଥା ହରାଇଥାଆନ୍ତି । ସୁବିଧାବାଦୀ ନେତା ଭାବେ ସେମାନେ ପଦାରେ ପଡିଯାଆନ୍ତି । ଭାରତୀୟ ରୀଜନୀତିରେ ଏମିତି ଉଦାହରଣ ଅନେକ ରହିଛି ।

ରାଜ୍ୟରେ ବର୍ତ୍ତମାନ ପଂଚାୟତ ନିର୍ବାଚନର ତାତି । ଏହି ନିର୍ବାଚନ ଜରିଆରେ ରାଜନୀତିରେ ପାଥ ଥାପିବାକୁ ଅନେକ ଚେଷ୍ଟା କରନ୍ତି । କିନ୍ତୁ ତିନି ତିନିଥର ବିଧାନସଭାକୁ ନିର୍ବାଚିତ ହୋଇ ୨ ଥର ମନ୍ତ୍ରୀ ହୋଇଥିବା ରାଜନୀତିର ଜଣେ ପୋଖତ ନେତ୍ରୀ ଯଦି ସମିତି ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କରିବେ, ତାହା ହେଲେ ଏହାକୁ କିଭଳି ମାନସିକତା ବୋଲି ଆମେ କହିବା ? ୩ ଥର ବିଧାୟିକା ହୋଇଥିବା ତଥା ୨ ଥର ମନ୍ତ୍ରୀ ହୋଇଥିବା ଅଂଜଳି ବେହେରା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗିରିଧରପ୍ରସାଦ ଗ୍ରାମ ପଂଚାୟତରେ ସମିତି ସଭ୍ୟା ଭାବେ ନାମାଙ୍କନ ଦାଖଲ କରିଛନ୍ତି, ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ଅଂଜଳି ବେହେରା ପୂର୍ବରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ତିନି ତିନି ଥର ନିର୍ବାଚିତ ହୋଇଥିଲେ । ପରେ ଦୁଇ ଥର ମନ୍ତ୍ରୀ ବି ହୋଇଥିଲେ । ଯେଉଁ ଦଳ ତାଙ୍କୁ ପରିଚୟ ଦେଇଥିଲା, ସେହି ଦଳ ପ୍ରତି ଅଂଜଳି କୃତଜ୍ଞ କ’ଣ ହେବେ, ବରଂ କୃତଘ୍ନତା ପ୍ରକାଶ କରିଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିକୁ ତଡା ଯାଇଥିଲା । ଆଉ ଟିକେଟ ବି ମିଳି ନ ଥିଲା ।

ଅଂଜଳି ବିଜେଡି ଛାଡି ବିଜେପିର ହାତ ଧରିଥିଲେ । ହେଲେ ବିଜେପି ତାଙ୍କୁ ଗୁରୁତ୍ୱ ଦେଲା ନାହିଁ । ତାଙ୍କର ପତିଆରା ଆଉ ନାହିଁ । ଯେ ନିଜ ଦଳର ହୋଇପାରିଲେନି,ସେ ପର ଦଳର କିପରି ଆସ୍ଥା ଭାଜନ ହୋଇପାରିବେ । ଅଂଜଳିଙ୍କ କ୍ଷେତ୍ରରେ ଏହା ହିଁ ସାବ୍ୟସ୍ତ ହୋଇଛି । ବୋଧହୁଏ ନିଜର ସୁବିଧାବାଦୀ ଆଭିମୁଖ୍ୟର ପରିଚୟ ଦେଇ ଅଂଜଳି ବେହେରା ସମିତି ସଭ୍ୟା ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଜଣେ ପୂର୍ବତନ ମନ୍ତ୍ରୀ, ଏବେ ଏବେ ସମିତି ସଭ୍ୟା ପ୍ରାର୍ଥୀ ! ଏହା ସୁବିଧାବାଦୀ ରାଜନୀତି ନୁହେଁ ତ ଆଉ କ’ଣ ? ଜନସେବା ପାଇଁ ତୃଣମୂଳସ୍ତରକୁ ଫେରିବାକୁ ସେ ଚାହାନ୍ତି ବୋଲି ଅଂଜଳି କହିଛନ୍ତି । ସେଥିପାଇଁ ପଂଚାୟତ ନିର୍ବାଚନ ଲଢୁଛନ୍ତି ବୋଲି ଅଂଜଳି କହିଛନ୍ତି । କିନ୍ତୁ ତାଙ୍କ ଯୁକ୍ତିକୁ ତ କେହି ସହଜରେ କେହି ଗ୍ରହଣ କରିବେ, ତାହା ମନେ ହେଉନାହିଁ । ବିଜେଡି ଛାଡି, ବିଜେପିରେ ଯୋଗ ଦେଇଥିଲେ ଅଂଜଳି । କିନ୍ତୁ ବିଜେପି ତାଙ୍କର ହେଲା ନାହିଁ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ବଦା ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଆସିଛନ୍ତି । କଥାରେ ନୁହେଁ କାର୍ଯ୍ୟରେ ବି ପରିଣତ କରିଛନ୍ତି । ଉଦାହରଣ ଅନେକ । ଉଦ୍ୟମୀ ମହିଳା ପ୍ରମିଳା ବିଷୋୟୀଙ୍କୁ ଟିକେଟ ଦେଇ ତାଙ୍କୁ ଲୋକସଭାକୁ ପଠାଇଛି ବିଜେଡି । କିନ୍ତୁ ବିଜେଡିରେ ପରିଚୟ ପାଇ ବିଧାୟିକା ସହ ମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ଅଂଜଳି ବେହେରାଙ୍କ ବିଶ୍ୱାସଘାତକତା ତାଙ୍କର ଅତି ସୁବିଧାବାଦୀ ରାଜନୀତିକୁ ପଦାରେ ପକାଇ ଦେଇଛି ।

ନାରୀ ସଶକ୍ତିକରଣ କିପରି କାର୍ଯ୍ୟରେ କରି ଦେଖାଯାଏ ବିଜେଡି ଏହାର ଅନେକ ଉଦାହରଣ ସୄଷ୍ଟି କରିଛି । ଜାତୀୟ ଦଳମାନଙ୍କରେ ଏହାର କାର୍ଯ୍ୟକାରିତା କିଭଳି ହେଉଛି ଏଥିରୁ ସ୍ପଷ୍ଟ ଅନୁମେୟ ।

Former minister Anjali BeheraOdisha Panchayat Election