ରାଲିରେ ଗୁଳିମାଡ଼, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆହତ | News Room Odisha

ରାଲିରେ ଗୁଳିମାଡ଼, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆହତ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିରେ ଗୁଳିମାଡ଼ । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନଙ୍କ ରାଲିରେ ଗୁଳିମାଡ଼ ହେବାରୁ ଇମ୍ରାନଙ୍କ ସମେତ ଅତି କମରେ ୫ ଜଣ ଆହତ ହୋଇଛନ୍ତି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଜ୍ଞାତ ଆକ୍ରମଣକାରୀ ୱାଜିରାବାଦର ଆଲ୍ଲା ହୋ ଚୌକ୍ ନିକଟରେ ପିଟିଆଇ ସଭାପତି ଇମ୍ରାନ ଖାନଙ୍କ କଣ୍ଟେନର ଉପରକୁ ଗୁଳିମାଡ଼ ହୋଇଥିଲା । ଏହି ଆକ୍ରମଣରେ ଇମ୍ରାନ ଖାନ ଆହତ ହୋଇଛନ୍ତି । ତାଙ୍କ ଡ଼ାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଇମ୍ରାନ ଖାନଙ୍କୁ ଏକ ବୁଲେଟ୍ ପ୍ରୁଫ୍ କାରରେ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

କ୍ଷମତାରୁ ହଟିବା ପରଠୁ ଇମ୍ରାନ ଖାନ ପାକିସ୍ତାନ ସରକାରଙ୍କ ବିରୋଧରେ ଅଭିଯାନ ଚଳାଇଛନ୍ତି । ନିକଟ ଅତୀତରେ ସେ ସେନାର ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ ‌।

ଗତ କିଛି ଦିନ ହେବ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ (ପିଟିଆଇ) ଦଳର ୭୦ ବର୍ଷୀୟ ମୁଖ୍ୟ ଇମ୍ରାନ ଖାନ ବିଭିନ୍ନ ସ୍ଥାନରେ “ହକିକି ଆଜାଦୀ ରାଲି” ଜାରି ରଖିଛନ୍ତି । ଦୁର୍ନୀତି ଅଭିଯୋଗ ନେଇ ସେ ତାଙ୍କର ବିରୋଧୀ ତଥା ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ଆଜି ହେଉଛି ଇମ୍ରାନଙ୍କ ରାଲିର ସପ୍ତମ ଦିବସ ।