ପାକିସ୍ତାନର ପୂର୍ବତନ ଟେଷ୍ଟ ଅଧିନାୟକ ସଇଦ ଅହମ୍ମଦଙ୍କ ପରଲୋକ | News Room Odisha

ପାକିସ୍ତାନର ପୂର୍ବତନ ଟେଷ୍ଟ ଅଧିନାୟକ ସଇଦ ଅହମ୍ମଦଙ୍କ ପରଲୋକ

ଲାହୋର: ପାକିସ୍ତାନର ପୂର୍ବତନ ଟେଷ୍ଟ ଅଧିନାୟକ ତଥା ତାଙ୍କ ସମୟର ମହାନ ବ୍ୟାଟ୍ସମ୍ୟାନ୍ ସଇଦ୍ ଅହମ୍ମଦଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି ।

ଅହମ୍ମଦ ୪୧ଟି ଟେଷ୍ଟ ଖେଳିଥିବା ବେଳେ ପାଞ୍ଚ ଶତକ ଏବଂ ୧୬ ଅର୍ଦ୍ଧ ଶତକ ସହ ୨୯୯୧ ରନ୍ କରିଥିଲେ। ଅଫ୍ ସ୍ପିନ୍ ବୋଲିଂ ସହ ସେ ୨୨ ୱିକେଟ୍ ନେଇଥିଲେ। ସେ ୧୯୫୮ ମସିହାରେ ବ୍ରିଜଟାଉନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ତାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍
୧୯୭୨-୭୩ରେ ଅଷ୍ଟ୍ରେଲିଆ ଗସ୍ତରେ ମେଲବୋର୍ଣ୍ଣରେ ଖେଳିଥିଲେ । କିନ୍ତୁ ସେହି ଗସ୍ତରେ ତାଙ୍କ କ୍ୟାରିୟରର ବିବାଦୀୟ ଅନ୍ତ ଘଟିଥିଲା ।

ସିଡନୀର ଗ୍ରୀନ୍ ପିଚରେ ଡେନିସ୍ ଲିଲିଙ୍କୁ ସାମ୍ନା କରିବାରୁ ବର୍ତ୍ତିବା ପାଇଁ ସେ ଅଣ୍ଟାରେ ଆଘାତ ବାହାନା କରିଥିଲେ। ଶୃଙ୍ଖଳାଗତ କାରଣରୁ ଅହମ୍ମଦଙ୍କୁ ସେହି ଗସ୍ତ ମଝିରୁ ବାଦ୍ ଦିଆଯାଇଥିଲା । ଏବଂ ତା’ପରେ ସେ ଆଉ ପାକିସ୍ତାନ ଦଳରେ କେବେ ସ୍ଥାନ ପାଇନଥିଲେ।

ସଇଦଙ୍କ ସାବତ ଭାଇ ୟୁନିସ୍ ଅହମ୍ମଦ ମଧ୍ୟ ପାକିସ୍ତାନ ପାଇଁ ଚାରିଟି ଟେଷ୍ଟ ଖେଳିଥିଲେ।