ଡବଲ୍ ମର୍ଡର ମାମଲାରେ ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ ଜେଲ୍ | News Room Odisha

ଡବଲ୍ ମର୍ଡର ମାମଲାରେ ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ / ପାଟନା: ୧୯୯୫ର ଏକ ଡବଲ୍ ମର୍ଡର ମାମଲାରେ ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ ସଜା ହୋଇଛି। ସୂଚନା ଅନୁଯାୟୀ ସୁପ୍ରିମକୋର୍ଟ ପ୍ରଫୁଲ୍ଲ ସିଂଙ୍କୁ ଏହି ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରଭୁନାଥ ସିଂ ଏବଂ ବିହାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଶୁଣାଣି ବେଳେ ପ୍ରଭୁନାଥ ସିଂ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡି ହୋଇଥିଲେ।

ବିହାରର ମହାରାଜଗଞ୍ଜ ଲୋକସଭା ଆସନରୁ ତିନିଥର ଜେଡିୟୁ ଏବଂ ଥରେ ଆରଜେଡି ଟିକେଟରୁ ସାଂସଦ ହୋଇଥିବା ପ୍ରଭୁନାଥ ସିଂ ୧୯୯୫ ମସିହାରେ ମାସ୍ରାଖରର ଏକ ମତଦାନ କେନ୍ଦ୍ର ନିକଟରେ ଦାରୋଗା ରାୟ ଏବଂ ତାଙ୍କ ପୁଅ ରାଜେନ୍ଦ୍ର ରାୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପ୍ରଭୁନାଥସ ସିଂଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନ ଦେବାରୁ ଉଭୟଙ୍କୁ ହତ୍ୟା କରାଯାଇଥିଲା ।

ପ୍ରଭୁନାଥ ସିଂ ଅନ୍ୟ ଏକ ହତ୍ୟା ମାମଲାରେ ସମ୍ପ୍ରତି ଝାଡ଼ଖଣ୍ଡର ହଜାରିବାଗ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।